ଭାରତ ଅପେକ୍ଷା ଯୁଦ୍ଧ ପ୍ରବଣ ୟୁକ୍ରେନ, ପାଲେଷ୍ଟାଇନରେ ଲୋକ ଅଧିକ ଖୁସି

ବିଶ୍ବ ଖୁସି ରୢାଙ୍କ୍‌ରେ ଭାରତର ସ୍ଥାନ ୧୧୮

0

ନୂଆଦିଲ୍ଲୀ: ବିଶ୍ବରେ ସବୁଠୁ ଖୁସି ଦେଶ ହେଉଛି ଫିନ୍‌ଲାଣ୍ଡ୍‌। ଏହି ଦେଶ କ୍ରମାଗତଭାବେ ୮ ବର୍ଷ ହେଲା ଶୀର୍ଷ ସ୍ଥାନ ବଜାୟ ରଖିଛି। ଜାତିସଂଘର ଅନ୍ତର୍ଜାତୀୟ ଖୁସି ଦିବସରେ ଆଜି ପ୍ରକାଶିତ ବିଶ୍ବ ଖୁସି ତାଲିକାରୁ ଏହା ଜଣାଯାଇଛି। ଏହି ରୢାଙ୍କ‌ରେ ଭାରତ ୧୧୮ତମ ସ୍ଥାନରେ ରହିଛି।  ୨୦୨୪ରେ ଭାରତ ୧୨୬ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ୮ଟି ସ୍ଥାନ ଉପରକୁ ଉଠିଥିଲେ ମଧ୍ୟ ଭାରତ ଏବେ ବି ସଂଘର୍ଷ ଦେଇ ଗତି କରୁଥିବା ରାଷ୍ଟ୍ର ତଥା ଯୁଦ୍ଧ ପ୍ରବଣ ୟୁକ୍ରେନ, ପାଲେଷ୍ଟାଇନ ମୋଜାମ୍ବିକ୍ ଏବଂ ଇରାକ ଭଳି ଦେଶଠାରୁ ପଛରେ ରହିଛି। ଆମର ପଡ଼ୋଶୀ ଦେଶଗୁଡ଼ିକ ରୢାଙ୍କକୁ ବିଚାରକୁ ନେଲେ ଜଣାଯାଇଛି ଯେ ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତଠାରୁ ଆଗରେ ରହିଛନ୍ତି। କିନ୍ତୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ଆମ ଠାରୁ ପଛରେ ଅର୍ଥାତ୍‌ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷେ ତାଲିକାର ସର୍ବୋଚ୍ଚ ସ୍ଥାନରେ ଥିବା ଫିନ୍‌ଲାଣ୍ଡ୍‌ ପଛକୁ ଡେନମାର୍କ, ଆଇସଲାଣ୍ଡ୍‌, ସ୍ବିଡେନ ଏବଂ ନେଦରଲାଣ୍ଡ୍‌ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। ବିଶ୍ବ ଖୁସି ରିପୋର୍ଟରେ ଏହି ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିଥାନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଲା କୋଷ୍ଟାରିକା ଏବଂ ମେକ୍ସିକୋ ଶୀର୍ଷ ୧୦ଟି ଖୁସି ଦେଶ ତାଲିକା ମଧ୍ୟରେ ସ୍ଥାନ ପାଇଛନ୍ତି। କୋଷ୍ଟାରିକା ଷଷ୍ଠ ସ୍ଥାନରେ ଥିବାବେଳେ ମେକ୍ସିକୋ ୧୦ମ ସ୍ଥାନରେ ରହିଛି। ନରୱେ ସପ୍ତମ, ଇସ୍ରାଏଲ ଅଷ୍ଟମ, ଲକ୍‌ଜେମବର୍ଗ ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୨୪କୁ ହ୍ରାସ ପାଇଛି। ବ୍ରିଟେନ୍‌ ୨୩ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ବର ଖୁସି ରୢାଙ୍କରେ ସବୁଠୁ ପଛରେ (୧୪୭ତମ)ରହିଛି। ଏହି ଦେଶ ବିଶ୍ବର ସବୁଠୁ ଅଖୁସି ଦେଶ ଭାବେ ପରିଗଣିତ ହୋଇଛି। ସେହି ଦେଶର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି। ସେମାନଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ଆଫଗାନିସ୍ତାନ ପରେ ସିଏରା ଲି‌ଓନ୍ ଏବଂ ଲେବାନନ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ଅଖୁସି ରୢାଙ୍କରେ ରହିଛନ୍ତି। ଏହି ଦେଶଗୁଡ଼ିକର ଲୋକମାନେ ସଂଘର୍ଷ, ଦାରିଦ୍ର୍ୟ ଏବଂ ସାମାଜିକ ଅସ୍ଥିରତା ଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି।

Leave A Reply

Your email address will not be published.