ଭିମଟାଙ୍ଗୀ ପ୍ରିୟଙ୍କା ହତ୍ୟାକାଣ୍ଡ; ସିନ୍ଦୂର ପିନ୍ଧାଇ ହତ୍ୟା;ଜେଲ୍ ଗଲା ଅଭିଯୁକ୍ତ ଜଗନ୍ନାଥ

ସାଙ୍ଗରେ ଯିବାକୁ ରାଜି ହେଲେନି ପ୍ରିୟଙ୍କା;ଦହିବରା ବଞ୍ଚାଇଦେଲା ପୁଅକୁ

ଭୁବନେଶ୍ୱର: ଜୁଲାଇ ୨୧: ଭୁବନେଶ୍ୱର ର ଭୀମଟାଙ୍ଗି ଅଂଚଳରେ ଘଟିଯାଇଥିବା ପ୍ରିୟଙ୍କା ହତ୍ୟାକାଣ୍ଡ ର ଅଭିଯୁକ୍ତ ଜଗନ୍ନାଥ କୁ ବୁଧବାର ଦିନ ପୁଲିସ ପକ୍ଷରୁ ଜେରା କରାଯାଇଥିଲା I ଜେରା ସମୟରେ ଜଗନ୍ନାଥ ନିଜେ ପ୍ରିୟଙ୍କା କୁ ହତ୍ୟା କରିବା କଥା ସ୍ୱୀକାର କରିଛି I ପ୍ରିୟଙ୍କା କୁ ନେଇ ସେ ସେଠାରୁ ଚାଲିଯିବାକୁ ଚାହୁଁଥିଲା ଏବଂ ନୂଆ କରି ତା ସହ ସଂସାର ବସାଇବାକୁ ଇଛାକରିଥିଲା I ପ୍ରିୟଙ୍କା ଏଥିରେ ରାଜି ନ ହେବାରୁ, ତାର ପ୍ରିୟଙ୍କା ସହ ଖୁବ ଯୁକ୍ତିତର୍କ ହେଇଥିଲା ବୋଲି ସେ ସ୍ୱୀକାର କରିଛି I ପରେ ସେ ଜୋର ଜବରଦସ୍ତ ପ୍ରିୟଙ୍କା ଙ୍କ ମୁଣ୍ଡରେ ସିନ୍ଦୂର ପିନ୍ଧାଇ ହତ୍ୟା କରିଥିବା ପୋଲିସ କୁ କହିଛି ।
ଘଟଣାର ଚାରିଦିନ ପୂର୍ବରୁ ପୋଲିସ ଜବତ କରିଥିବା ହାତ ଲେଖା ଚିଠିକୁ ସେ ଲେଖିଥିବା ବୟାନ ବେଳେ କହିଛି ବୋଲି ଡିସିପି ଡ. ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି ।
ବୁଧବାର ଏମ୍ସରୁ ଡିସଚାର୍ଜ ହେବା ପରେ ପୋଲିସ ଜଗନ୍ନାଥଙ୍କୁ ଜେରା କରିବା ପରେ ଜେଲ୍ ହାଜତକୁ ପଠାଇ ଦେଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ଡିସିପି ଦେଇଥିବା ସୂଚନାରୁ ଜଣାପଡିଛି, ଅଭିଯୁକ୍ତ ଜଗନ୍ନାଥ ମାନିଛି ଯେ, ହତ୍ୟାର ୪ ଦିନ ପୂର୍ବରୁ ସେ ସବୁ କିଛି ଯୋଜନା କରିଥିଲା । ଯଦିଓ ପ୍ରିୟଙ୍କାଙ୍କୁ ହତ୍ୟା କରିବାର ତାଙ୍କର ଇଛା ନ ଥିଲା ହେଲେ ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା । ପ୍ରଥମ ପ୍ରିୟଙ୍କାକୁ ନେଇ ଅନ୍ୟ କେଉଁ ଆଡେ ଫେରାର ହୋଇଯିବା । ଦ୍ୱିତୀୟ ପ୍ରିୟଙ୍କାଙ୍କୁ ହତ୍ୟା କରିବା । ପ୍ରିୟଙ୍କାଙ୍କ ଘରକୁ ଯିବାକୁ ଜଗନ୍ନାଥ ସେବେଠୁ ସୁଯୋଗ ଖୋଜୁଥିଲା । ଜୁଲାଇ ୫ ତାରିଖ ଦିନ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ଘରୁ ବାହାରକୁ ପଳାଇଯାଇଥିବାର ସୁଯୋଗ ଦେଖି ପ୍ରିୟଙ୍କାଙ୍କ ଘର ଭିତରକୁ ପଶିଥିଲା ଜଗନ୍ନାଥ । ପ୍ରଥମେ ସେ ପ୍ରିୟଙ୍କାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବା ସହ ଘରୁ ପଳାଇବାକୁ କହିଥିଲା । ହେଲେ ପ୍ରିୟଙ୍କା ଏଥିରେ ରାଜି ହୋଇ ନ ଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଏପରିକି ବଡ ପାଟି ଶୁଣି ସେହି ସମୟରେ ଘର ମାଲିକ ପ୍ରିୟଙ୍କାଙ୍କ ଘରକୁ ଆସିଥିଲେ । ଏହି ସମୟରେ ଜଗନ୍ନାଥ ଗାଧୁଆ ଘରେ ଲୁଚି ଯାଇଥିଲା । ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେବା ସହ ତାଙ୍କର ତିନି ବର୍ଷର ପୁଅକୁ ସାଙ୍ଗରେ ନେଇ ପଳାଇ ଯାଇଥିଲେ । ଯେଉଁଥିପାଇଁ କୁନି ପୁଅର ଜୀବନ ବଞ୍ଚି ଯାଇଥିଲା । ମାଲିକ ପଳାଇଯିବା ପରେ ସେ ଗାଧୁଆ ଘରୁ ବାହାରିଥିଲା । ପୁନଶ୍ଚ ପ୍ରିୟଙ୍କାଙ୍କୁ ତାଙ୍କ ସହ ପଳାଇବାକୁ କହିଥିଲା I କିନ୍ତୁ ପ୍ରିୟଙ୍କା ଏଥିରେ ରାଜି ହୋଇ ନ ଥଲେ । ଫଳରେ ସେ ପ୍ରିୟଙ୍କାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲା ବୋଲି ମାନିଛି । ସବୁଠୁ ବଡ କଥା ହେଉଛି ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ସିନ୍ଦୁର ପିନ୍ଧାଇଥିଲା । ପରେ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲା । ଜଗନ୍ନାଥ ପ୍ରିୟଙ୍କାଙ୍କ ଘରକୁ ଆସିବା ପୂର୍ବରୁ ସାଙ୍ଗରେ ସିନ୍ଦୁର, ଛୁରୀ, ବିଷ ବୋତଲ ନେଇକି ଆସିଥିଲା । ଯଦି ପ୍ରିୟଙ୍କା ତାଙ୍କ ସହ ଯିବାକୁ ରାଜି ନ ହୁଏ ତେବେ ସେ ପ୍ରିୟଙ୍କାଙ୍କୁ ହତ୍ୟା କରି ବିଷ ପିଇବ ବୋଲି ଯୋଜନା କରି ଆସିଥିଲା ବୋଲି ପୋଲିସ ସମ୍ମୁଖରେ ମାନିଛି ।
ବଡ କଥା ହେଉଛି ପ୍ରିୟଙ୍କା ଚାହିଁଥିଲେ ବଞ୍ଚିପାରି ଥାନ୍ତେ I ହେଲେ ଜଗନ୍ନାଥ ତାଙ୍କୁ ହତ୍ୟା କରିବେ ବୋଲି ଜାଣି ନ ଥିଲେ । ଯେଉଁଥି ପାଇଁ ଜଗନ୍ନାଥଙ୍କ ସହ ଯୁକ୍ତିତର୍କ ଚାଲିଥିବା ବେଳେ ମାଲିକ ଆସିଥିଲେ ମଧ୍ୟ ତାଙ୍କୁ କିଛି କହି ନ ଥିଲେ । ଅବା ନିଜର ଇଜତକୁ ଦୃଷ୍ଟିରେ ରଖି ମାଲିକଙ୍କୁ କିଛି କହି ନ ଥିଲେ । ଏପରି ସ୍ଥଳେ ପୂର୍ବରୁ ଜଗନ୍ନାଥଙ୍କ ସହ ପ୍ରିୟଙ୍କାଙ୍କ କଣ ସମ୍ପର୍କ ଥିଲା ? ଏହା ପଛରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ? ତା ଉପରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଜଗନ୍ନାଥଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ଜୁଲାଇ ୫ ତାରିଖ ସକାଳ ୯ ଟାରେ ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭିମଟାଙ୍ଗୀ ଅଞ୍ଚଳରେ ଥିବା ପ୍ରିୟଙ୍କା ପିୟଦର୍ଶନୀ ସାହୁଙ୍କ ମୃତ ଦେହ ପୋଲିସ ଜବତ କରିଥିଲା । ଏଥିସହିତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥଙ୍କୁ ଗୁରୁତ୍ୱର ଅବସ୍ଥାରେ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇଥିଲା । ଘଟଣା ସ୍ଥଳରୁ ପୋଲିସ ଏକ ବିଷ ବୋତଲ, ଛୁରୀ, ସିନ୍ଦୁର ଡବା ଜବତ କରିଥିଲା । ତେବେ ଅଭିଯୁକ୍ତ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ସ୍ୱାମୀ ରାକେଶଙ୍କୁ ଭିଡଓ କଲ କରିଥିଲା । ହେଲେ ରାକେଶ ଫୋନ ନ ଉଠାଇବାରୁ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ପ୍ରିୟଙ୍କାଙ୍କ ଫଟୋ ରାକେଶଙ୍କୁ ପଠାଇଥିଲା । ପରେ ସେ ନିଜ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହା ଦେଖିବା ପରେ ରାକେଶ ଘର ମାଲିକଙ୍କ ସମେତ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରିବା ସହ ମେଡିକାଲ ପଠାଇଥିଲେ । ସେବେ ଠାରୁ ଜଗନ୍ନାଥ ଚିକିତ୍ସିତ ହେଉଥିବା ବେଳେ ଆଜି ମେଡିକାଲରୁ ବାହାରିଥିଲା ।

Comments are closed.