ମଦ, ବ୍ରାଉନସୁଗାର ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର; ପାଞ୍ଚ ଆହତ, ତିନି ଗୁରୁତର

ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ରାଜଧାନୀ ରାସ୍ତା ଭିଜିଛି ରକ୍ତରେ । ଚୋରା ମଦ ଓ ବ୍ରାଉନସୁଗାର ପାଇଁ ରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନ୍ ରାଜରାସ୍ତାରେ ସୋମବାର ମଧ୍ୟାହ୍ନରେ ଗ୍ୟାଙ୍ଗୱାରରେ ଭୟଭୀତ ହୋଇଯାଇଥିଲେ ଲୋକେ । ଗୋଟିଏ ଗ୍ୟାଙ୍ଗ ପ୍ରତିପକ୍ଷ ଗ୍ୟାଙ୍ଗକୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତିନିଜଣଙ୍କ ମୁଣ୍ଡରେ ଚୋଟ୍ ଲାଗିଥିବାରୁ ସେମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ପ୍ରକାଶ ।

ସୋମବାର ମଧ୍ୟାହ୍ନରେ ଗୋଟିଏ ଗ୍ୟାଙ୍ଗର ଆଠଜଣ ଏକ ଅଟୋରେ ଆସି ପହଂଚିଥିଲେ । ପ୍ରତିପକ୍ଷ ଗୋଷ୍ଠିର ପାଞ୍ଚ ଜଣ ଏକ ଦୋକାନ ପାଖରେ ଥିଲେ । ସେମାନଙ୍କୁ ଅତର୍କିତ ଭାବେ ଅଟୋରେ ଆସିଥିବା ଗ୍ୟାଙ୍ଗ ଗୋଡାଇ ଗୋଡାଇ ହାଣିଥିବା ଲୋକେ ଦେଖି ଭୟଭୀତ ହୋଇ ପଳାଇଯାଇଥିଲେ ।

ଦୁଇ ଦିନ ପୂର୍ବରୁ ରାଜା ଗ୍ୟାଙ୍ଗ ସହ ପ୍ରତିପକ୍ଷ ଗ୍ୟାଙ୍ଗର ମଦ ଓ ବ୍ରାଉନସୁଗାର କାରବାରକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାର ପ୍ରତିଶୋଧରେ ଆଜି ରାଜା ଗ୍ୟାଙ୍ଗ ବନ୍ଧୁକ, ଭୁଜାଲି, ଖଣ୍ଡା ଆଣି ଗ୍ୟାଙ୍ଗୱାର କରିଥିଲେ । ପ୍ରତିପକ୍ଷ ଗ୍ୟାଙ୍ଗ ପାଖରେ ଅସ୍ତ୍ର ନଥିବାରୁ ସେମାନେ ଗୁରୁତର ହେଲେ ।

ଏସିପି ମାନସ ଗଡନାୟକଙ୍କ କହିବାନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଲା । ଗୋଟିଏ ଗୋଷ୍ଠିର ପାଞ୍ଚ ଜଣ ଆହତ ହୋଇଥିବାବେଳେ ଅପରଗୋଷ୍ଠିର ମୁଖ୍ୟ ରାଜାକୁ ଅଟକ ରଖାଯାଇଛି । ସମସ୍ତ ଅପରାଧିଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ ଶିଘ୍ର ଗିରଫ କରାଯିବ ।

ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । ଆହତମାନେ ହେଲେ ଖାରବେଳନଗର ଥାନା ମାଳିସାହି ମସଜିଦ କଲୋନୀର ସେକ୍ ସାହିଦ୍‌, ସେକ୍ ରୂପଲିନ୍‌, ସେକ୍ ରାଜା, ସେକ୍ କାଲାମ୍ ଓ ରହିମୁନ୍ ବୋଲି ଜଣାପଡିିଛି । ସେମାନଙ୍କ ମଧ୍ୟରୁ ସାହିଦ, ରହିମୁନ ଓ ଅନ୍ୟ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାରରେ ଫାଳିକିଆ ବସ୍ତିର ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ଓରଫ (ରାଜା) ଓ ତାର ଦୁଇ ସହଯୋଗୀଙ୍କୁ କ୍ୟାପିଟାଲ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଏସିପି ସୂଚନା ଦେଇଛନ୍ତି ।
ଫାଳିକିଆ ବସ୍ତିର ରାକେଶ ବେହେରା ଓରଫ (ରାଜା) ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଦୋକାନ ରହିଛି । ସନ୍ଧ୍ୟା ୫ଟା ପରେ ଦୋକାନ ଖୋଲିବା ବାରଣ ଥିବାରୁ,ରାଜା କାହିଁକି ଦୋକାନ ଖୋଲି ନିଶା କାରବାର କରୁଛି ବୋଲି ଅନ୍ୟ ଗୋଷ୍ଠି ଅଭିଯୋଗ କରିଥିଲେ । ଯାହାକୁ ନେଇ ରାଜା ଉତ୍‌କ୍ଷିପ୍ତ ହୋଇ ସେକ କାଲାମ ଓ ସାହିଦଙ୍କୁ ୧୨ ଦିନ ତଳେ ଗାଳିମନ୍ଦ କରିଥିଲା ।

ଏହାକୁ ନେଇ ସେମାନଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏ ନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ଉଭୟ ଗୋଷ୍ଠିଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ରାଜା ସେଠାରୁ ଧମକ ଚମକ ଦେଇ ପଳାଇ ଆସିଥିଲେ । ସୋମବାର ରାଜା ଦୋକାନ ଖୋଲିଥିବା ବେଳେ ସେକ ସାହିଦ, ସେକ୍ କାଲାମ,ସେକ୍ ରୂପଲିନ୍ ଓ ସେମାନଙ୍କ ସହଯୋଗୀମାନେ ରାଜାକୁ ଆକ୍ରମଣ କରିବାକୁ ଆସିଥିଲେ ।

ହେଲେ ରାଜା ଓ ତାଙ୍କର ଭାଇ ମିଶି ଗାଳିମନ୍ଦ କରିବା ସହ ଉଭୟଙ୍କ ମଧ୍ୟରେ ଦିନ ସାଢ଼େ ୧ଟା ସମୟରେ ବଚସା ହୋଇଥିଲା । ପରେ ସେମାନେ ଘଟଣାସ୍ଥଳରୁ ପଳାଇଯାଇ ଏକ ଅଟୋରେ ଆସି ରାଜାର ଗୋଷ୍ଠି ଅତର୍କିତ ଭାବେ ପ୍ରତିପକ୍ଷ ଗୋଷ୍ଠିଙ୍କୁ ଗୋଡାଇ ଗୋଡାଇ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନଙ୍କ ଏଭଳି ଦୃୃଶ୍ୟ ଦେଖି ପଥଚାରୀମାନେ ଯିଏ ଯେଉଁଠି ପାରିଥିଲେ ଅଟକି ଯାଇଥିଲେ । କିଏ ଜୀବନ ବିକଳେ ବାଇକ ଛାଡି ପଳାଇଥିଲା ତ ଆଉ କିଏ ଦୋକାନ ବନ୍ଦ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।

ପ୍ରାୟ ୨୦ ମିନିଟ୍ ଧରି ମାଷ୍ଟରକ୍ୟାଣ୍ଟିନ ଛକରେ ଚାଲିଥିଲା ହଣାକଟା । ଚାରିଆଡେ ରକ୍ତର ଛିଟା ସହ ଆହତ ଯୁବକମାନେ ଜୀବନ ବିକଳରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅପରାଧୀମାନେ ଛାଡି ନଥିଲେ । ଗୁରୁତର ଯୁବକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ ଛକ ଉପରେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଂଚି ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ I ମୁଖ୍ୟ ଅଭିଯୁକ୍ତ ରାଜା ଓ ତାଙ୍କର ଦୁଇ ସହଯୋଗୀକୁ ପୋଲିସ ଅଟକ ରଖିଥିବା ଜୋନ୍ ଏସିପି ମାନସ ଗଡନାୟକ ସୂଚନା ଦେଇଛନ୍ତି ।

ଶ୍ରୀ ଗଡନାୟକ କହିଛନ୍ତି ଯେ, ମଙ୍ଗଳବାର ଦିନ ରାଜାକୁ କୋର୍ଟ ଚାଲାଣ କରାଯିବା ସହ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଯୁବକମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଗତ କିଛି ଦିନ ହେବ ରାଜଧାନୀ ରାସ୍ତାରେ ଅପରାଧ ବଢିବାରେ ଲାଗିଛି । ସାମନ୍ତରାପୁର, ନୂଆପଲ୍ଲୀ ସମେତ ବହୁ ସ୍ଥାନରେ ରାଜରାସ୍ତାରେ ଅପରାଧ ଘଟିଛି ।

Comments are closed.