ମହାପ୍ରଭୁ ପିନ୍ଧିଲେ ପାଟରାକ୍ଷୀ: ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ

ପୁରୀ: ଅଗଷ୍ଟ ୪:(ସବ୍ୟୁ):ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ପାଟରାକ୍ଷୀ ଲାଗି କରାଯାଇଛି । ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ ସମ୍ପନ୍ନ ହେବା ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନିଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ସର୍ବାଙ୍ଗ ବିଜେ କରାଇ ଆଣିଥିଲେ । ତାହା ତିନିବାଡରେ ଲାଗି କରାଯାଇଥିଲା । ଏହାପରେ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଓ ବୋଇରାଣୀ ପତନୀ ଲାଗି କରାଯାଇଥିଲା । ଦ୍ୱିପ୍ରହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୁଜରେ ଗୋଟିଏ ଓ ବାମ ଭୁଜରେ ଦୁଇଟିି ଆଜ୍ଞାମାଳ ଲାଗି ହୋଇଥିଲେ । ପାଣିପଡି ଭିତରେ ଧୋପଖାଳ ହେବା ପରେ ଆସ୍ଥାନ ପଢିଆରୀ ବଡବାଡ ସିଂହାସନ ତଳେ ଷଷ୍ଠୀ ମାର୍କଣ୍ଡୀ ବରୁଣ ପୂଜାଠା କରିଥିଲେ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ପୂଜାନୀତି ସମ୍ପନ୍ନ କରିଥିଲେ । ପରେ ପୁଷ୍ପାଳକ ସେବକମାନେ ସୁନା ଲାଗିଥିବା ଚାରିଟି ପାଟରାକ୍ଷୀ ଓ ଗୁଆରମାଳ ଲାଗି କରିଥିଲେ । ଶ୍ରୀଜଗନ୍ନାଥଙ୍କ ଦୁଇ ଭୁଜରେ ଦୁଇଟି ଓ ବଳଭଦ୍ରଙ୍କ ଦୁଇ ଭୁଜରେ ଦୁଇଟି ପାଟରାକ୍ଷୀ ଲାଗିକରାଯାଇଥିଲା । ଷଷ୍ଠୀମାର୍କଣ୍ଡି ବରୁଣପୂଜା ଶେଷ ହେବା ପରେ ଧୂପ, ଭୋଗ ଓ ଯାତ୍ରାଙ୍ଗି ଭୋଗ ଛାମୁକୁ ଅଣାଯାଇଥିଲା । ପୂଜାପଣ୍ଡା ଭୋଗ ମଣୋହି କରିବା ପରେ ଟେରା ପଡିଥିଲା । ଟେରାଫିଟି ଆଳତୀ ଶେଷ ହେବା ପରେ ମହାଜନମାନେ ଦକ୍ଷିଣଘରୁ ମଦନମୋହନଙ୍କୁ ସିଂହାସନକୁ ବିଜେ କରାଇଥିଲେ । ଦଇତାପତି ସେବକମାନେ ଶ୍ରୀସୁଦର୍ଶନଙ୍କୁ ସିଂହାସନରୁ ଆଣି ଜଗମୋହନରେ ରଖାଯାଇଥିବା ଚଉଦଳକୁ ବିଜେ କରାଇଥିଲେ । ସୁଦର୍ଶନଙ୍କୁ ପାଟପତନୀ, ସୁନା ହରଡମାଳି ଓ କମରପଟି ଲାଗି କରାଯାଇଥିଲା । ଚଉଦଳକୁ ବଳଭଦ୍ର ଜନ୍ମନୀତି ପାଇଁ ବିମାନବଡୁ ସେବାୟତମାନେ ମାର୍କଣ୍ଡେୟ ପୁଷ୍କରିଣୀକୁ ନେଇଥିଲେ । ମଣ୍ଡପ ଉପରେ ଶ୍ରୀସୁଦର୍ଶନଙ୍କୁ ସେଠାରେ ବିଜେ କରାଇଥିଲେ । ଚିକିଟା ମାଟିରେ ବଳଭଦ୍ରଙ୍କର ଏକ ପିତୁଳା ଶୁଦ୍ଧସୁଆର ନିର୍ମାଣ କରିବା ପରେ ପୂଜାପଣ୍ଡା ତାହାକୁ ଜୀବନ୍ୟାସ କରାଇଥିଲେ । ପରେ ଜାତକର୍ମ ସଂପନ୍ନ ହୋଇଥିଲା । ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରି ଶୀତଳ ଭୋଗ ମଣୋହି କରାଇଥିଲେ । ବନ୍ଦାପନା ପରେ ବଳଭଦ୍ରଙ୍କ ପିତୁଳାକୁ ଜଳରେ ବିସର୍ଜନ କରାଯାଇଥିଲା । ଏହା ପରେ ଶ୍ରୀସୁଦର୍ଶନ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ସନ୍ଧ୍ୟା ଆଳତୀ ପରେ ସୁଦର୍ଶନ ଚଉଦଳରେ ବିଜେ କରି ପଟୁଆରରେ ଚାରିଆଶ୍ରମ ପରିକ୍ରମା କରିଥିଲେ । ସୁଦର୍ଶନଙ୍କୁ ବିଭିନ୍ନ ସ୍ଥାନରେ ପନ୍ତିଭୋଗ କରାଯାଇଥିଲା ।

Comments are closed.