ମହାବାତ୍ୟା ରୂପ ନେଉଛି ‘ଅମ୍ପାନ’: ସମୁଦ୍ରକୂଳିଆ ଧାମରା ଅଞ୍ଚଳରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର

Report by Uma Kalyan Mohapatra

ଭଦ୍ରକ,୧୮ ।୦୫(ଜିପ୍ର): ବାତ୍ୟା ‘ଅମ୍ପାନ’ ମହାବାତ୍ୟାର ରୂପ ନେବା ପରେ ହାଇ ଆଲର୍ଟ ଜୋନରେ ଥିବା ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପରିସ୍ଥିତିର ସୁପରିଚାଳନା ନେଇ ରାଜ୍ୟ ସରକାର ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ପ୍ରଶାସକ ସୁଶୀଲ ଲୋହାନୀଙ୍କୁ ଭଦ୍ରକକୁ ପଠାଇଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ଏନଡିଆରଏଫ ଟିମ ଚାନ୍ଦବାଲି ଓ ଧାମରାକୁ ପଠାଯାଇଥିବା ବେଳେ ୨ଓଡରାଫ୍ ଟିମକୁ ବାସୁଦେବପୁର ପଠାଯାଇଥିବା ବେଳେ ଅନ୍ୟ ଏକ ଟିମ୍‌କୁ ଭଦ୍ରକ ହେଡକ୍ୱାଟରେ ରଖାଯାଇଛି । ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ୮ଟି ରେସପନ୍ସ ଟିମ୍ ସଂପୃକ୍ତ ବ୍ଲକମାନଙ୍କରେ ସଜାଗ ଅଛନ୍ତି । ଜିଲ୍ଲାର ସମୁଦ୍ର କୂଳିଆ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୩୧ଟି ପଞ୍ଚାୟତ ଜିଲ୍ଳା ପ୍ରଶାସନର ତୀକ୍ଷଣ ନଜରରେ ରହିଛି । ଏଗୁଡିକ ହେଲା-ଚାନ୍ଦବାଲି ବ୍ଲକର-ବିଜୟନଗର, କାଣ୍ଡଗଡିଆ, ଓରାସାହି, ଚରଦିଆ, ନଳଗୋହିରା, ନୂଆଗାଁ, ଜଳେଶ୍ୱରପୁର, ଉତୁକୁଡା, ଯଶୀପୁର, ଧାମରା, ଦୋସିଙ୍ଗା, ଜାଗୁଳା, କଇଥଖୋଲା, କରଜଂମାଳ, ପଂଚୁଟିକ୍ରୀ, କରଣପଲ୍ଲୀ ଓ ବାଂଶଡା । ବାସୁଦେବପୁର ବ୍ଲକର-ଅଢୁଆ, ବାଲିମୁଣ୍ଡା, ବିନୋଭାବେନଗର, ବିରସ, ଚୂଡାମଣି, ଇରମ, ଗୋପବନ୍ଧୁନଗର, ଜଗନ୍ନାଥପୁ. କରଂଜଆଡିଆ, କେକେପୁର, କୁମାରପୁର, ନୂଆଗାଁ, ସାନକୃଷ୍ଣପୁର, ଶାଶୂଭୂଆଷୁଣୀ ଓ ବିଦେଇପୁର । ଏହି ୨ବ୍ଲକର ୩୧ପଞ୍ଚାୟତର ସମୁଦ୍ର କୂୂଳ ଠାରୁ ୫କିମି ଦୂରରେ ଥିବା ୯୧ ଗାଁ ଓ ପାଖାପାଖି ୧ଲକ୍ଷ ୫ହଜାର ସ୍ଥାନାନ୍ତରଣ କରାଯିବା ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଧାମରାର ୮ଟି ପଞ୍ଚାୟତର ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଗ୍ରାମର ୭୭୨୭ଲୋକଙ୍କୁ ୫୧ଟି ସ୍ଥାନରେ ରଖାଯାଇଛି । ଜିଲ୍ଳାର ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୪ଟି କ୍ୱାରେଣ୍ଟାଇନ ସେଣ୍ଟର ନିମନ୍ତେ ବ୍ୟବହୃତ ହୋଇଥିବା ବେଳେ ବାକି ରହିଥିବା ୮୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଥଇଥାନ କରାଯିବାର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ଛଡା ୫୫୮ଟି ବିଦ୍ୟାଳୟରେ ମଧ୍ୟ ଲୋକମାନଙ୍କ ରଖାଯିବାର ବ୍ୟବସ୍ଥା ହୋଇଛି । ଏଥିନିମନ୍ତେ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା କର୍ମକର୍ତ୍ତା, ବ୍ଲକ ସ୍ତରୀୟ ଅଧିକାରୀ, ନୋଡାଲ ଅଫିସରମାନେ ବ୍ୟାପକ ବନ୍ଦୋବସ୍ତ କରୁଥିବା ଜଣା ପଡିଛି । ଏହାଛଡା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ମାଇକ ପ୍ରଚାର ଜାରି ରହିଛି । ଲୋକମାନଙ୍କୁ ନିଜ ନିଜ ଜିନିଷ ସବୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏହାଛଡା ଗର୍ଭବତୀ ମହିଳା, ଛୋଟପିଲାମାନେ କିପରି ସୁରକ୍ଷିତ ଭାବେ ସ୍ଥାନାନ୍ତର ହେବେ ସେ ଦିଗରେ ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସବୁ ବିଡିଓ, ତହସିଲଦାରଙ୍କ ସହ ଘନଘନ ଯୋଗାଯୋଗ ରଖିଛନ୍ତି । ଆଶ୍ରୟସ୍ଥଳୀରେ ଆଲୋକ ବ୍ୟବସ୍ଥା ଓ ଶୁଖିଲା ଖାଦ୍ୟ ବନ୍ଦୋବସ୍ତ କରାଯିବାକୁ ଜିଲ୍ଲାପାଳ ସଂପୃକ୍ତ ଅଞ୍ଚଳର ତହସିଲଦାର, ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସହରାଞ୍ଚଳରେ ମଧ୍ୟ ଏ ନେଇ ପୌରପାଳିକା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା କାରଣରୁ ବିଭିନ୍ନ ନାଳ ନର୍ଦ୍ଦମା ଗୁଡିକୁ ସବୁକୁ ଜେସିପି ଲଗାଇ ସଫା କରାଯାଇଛି । ଆଜି ସହରରେ ଲାଗିଥିବା ବଡବଡ ହୋଡିଂ ସବୁକୁ ବାହାର କରିଦିଆ ଯାଇଛି ।

Comments are closed.