ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆୟୁଷ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ମହିଳା ଥାନା

ଭୁବନେଶ୍ୱର : ଜୁଲାଇ ୧୦: ଶେଷରେ ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ । ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ମହିଳା ଥାନା ।
ଆୟୁଷ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ୱୀକାର କରି ବିଭୁପ୍ରସାଦ ପାଲଟା ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୁକ୍ତ ଓଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍‌ ପୁଲିସ ହାଜର ହେବାକୁ ନୋଟିସ୍‌ କରିଥିଲା । ହେଲେ ସେ ହାଜର ହେଉ ନ ଥିଲେ । ଗୁରୁବାର ଶ୍ରୀ ଷଡ଼ଙ୍ଗୀ ହାଜର ହେବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରି ନେଇଛି । ଧାରା ୩୫୪ ଏବଂ ଆଇଟି ଆକଫ ବଳରେ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହି ମହିଳା ଥାନାରେ ଏକ ଏତଲା ଦେଇଥିଲେ । ମହିଳା କର୍ମଚାରୀ ଜଣକ ଅଭିଯୁକ୍ତଙ୍କ ବାର୍ତ୍ତାଳାପର ଯେଉଁ କଲ୍‌ ରେକର୍ଡ ଉପସ୍ଥାପନା କରୁଛନ୍ତି, ତାହା ତାଙ୍କ କଣ୍ଠସ୍ୱର ନୁହେଁ । ଯେଉଁ ନମ୍ବରରୁ ଅଶ୍ଳୀଳ ଫୋନ୍‌ ଓ ମେସେଜ ସବୁ ଆସିଛି ବୋଲି ଅଭିଯୋଗ ଉଠିଛି ତାହା ମଧ୍ୟ ତାଙ୍କର ନୁହେଁ । କଣ୍ଠସ୍ୱରକୁ ଲ୍ୟାବକୁ ପଠାଯାଇ ପ୍ରମାଣ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ ଦର୍ଶାଇଥିଲେ । ଅଡିଓ ଲ୍ୟାବକୁ ପଠାଯାଇ ପ୍ରମାଣିତ କରାଯିବା ସହ ଯେଉଁ ନମ୍ବରରୁ ଅଶ୍ଳୀଳ ମେସେଜ୍‌ ଆସିଛି ତାହାର ମଧ୍ୟ ଉପଯୁକ୍ତ ତଦନ୍ତ ହେଉ ବୋଲି ଅଭିଯୋଗକାରିଣୀ କହିଛନ୍ତି ।

Comments are closed.