ମାଛ ଟିକ୍‌କା ମସଲା

ଆବଶ୍ୟକ ସାମଗ୍ରୀ
୨୫୦ ଗ୍ରାମ ମାଛ, ୧ ଚାମଚ ଧନିଆ ପାଉଡର, ୧ କପ ଦହି, ୧ ଚାମଚ ଅଦା-ରସୁଣ ପେଷ୍ଟ୍‌, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ୧ ଚାମଚ କଳା ଜିରା, ଅଧା ଚାମଚ ସୋରିଷ, ହଳଦୀ, ସ୍ୱାଦନୁସାରେ ଲୁଣ, ତେଲ
ପ୍ରସ୍ତୁତି ପ୍ରଣାଳୀ
ମାଛ ଟିକ୍‌କା ମସଲା ପ୍ରସ୍ତୁତ ପାଇଁ ପ୍ରଥମେ ଏହାର ମସଲା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ପାତ୍ରରେ ଦହି, ଅଦାରସୁଣ ପେଷ୍ଟ, ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା, ଧନିଆ ପାଉଡର, କଳା ଜିରା, ସୋରିଷ ଏବଂ ହଳଦୀ ପକାଇ ଗୋଳାନ୍ତୁ । ତାପରେ ମାଛକୁ ଧୋଇ ଖଣ୍ଡ ଖଣ୍ଡ କରି କାଟନ୍ତୁ । ଏହାକୁ ଦହି ମିଶ୍ରଣରେ ପକାଇ ଭଲଭାବରେ ଗୋଳାନ୍ତୁ । ଯେପରି ମାଛରେ ମସଲା ଭେଦି ପାରିବ । ମସଲା ମାଛକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମାରିନେଟ୍‌ ପାଇଁ ରଖିଦିଅନ୍ତୁ । ଅଧ ଘଣ୍ଟା ପରେ ମିଡିଅମ ଆଞ୍ଚ୍‌ ଦେଇ ନନ୍‌ଷ୍ଟିକ୍‌ ପ୍ୟାନ୍‌ର ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେଲା ପରେ ମାଛ ଖଣ୍ଡଗୁଡ଼ିକୁ ଟୁଥ୍‌ ପିକ୍‌ ଦେଇ ପ୍ୟାନ୍‌ରେ ରଖି ଭାଜନ୍ତୁ । ମଝିରେ ମଝିରେ ମାଛକୁ ଓଲଟାଇ ଭାଜନ୍ତୁ । ମାଛର ରଙ୍ଗ ସୁନେଲି ହେଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ମାଛକୁ ଅନ୍ୟ ଏକ ପାତ୍ରରେ କାଢି ରଖନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଛ ଟିକ୍‌କା ମସଲା । ଏହା ଉପରେ ଧନିଆ ପତ୍ର ଏବଂ ଲେମ୍ବୁ ରସ ଦେଇ ପରଷନ୍ତୁ । ଏହି ମାଛ ଟିକ୍‌କା ମସଲାକୁ ଆପଣ ଚଟଣି ଲଗାଇ ଖାଇପାରିବେ ।

Comments are closed.