ମିଆଁମାର ଭୂକମ୍ପରେ ଶତାଧିକ ମୃତ ଆଶଙ୍କା

ସହଯୋଗ କରିବାକୁ ଭାରତ ପ୍ରସ୍ତୁତ : ମୋଦୀ

0

ନୂଆଦିଲ୍ଲୀ : ମିଆଁମାରକୁ ଆଜି ୭.୭ ଓ ୬.୪ ତୀବ୍ରତାର ଦୁଇଟି ଭୂମିକମ୍ପ ଦୋହଲାଇ ଦେଇଛି।  ଭୂକମ୍ପରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଶତାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଅନେକ ନିଖୋଜ ଅଛନ୍ତି। ଅନେକ ଘରଦ୍ବାର ମାଟିରେ ମିଶିଯାଇଛି। ଉକ୍ତ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଏବଂ ଥାଇଲାଣ୍ଡକୁ ସହାୟତା ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ମୋଦୀ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ମିଆଁମାର ଓ ଥାଇଲାଣ୍ଡ ଭୂକମ୍ପ ପରେ ପରିସ୍ଥିତିକୁ ନେଇ ଚିନ୍ତିତ। ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି। ଭାରତ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି। ଏ ସଂକ୍ରାନ୍ତରେ ଆମ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ମିଆଁମାର ଏବଂ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ କୁହାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟ୍‌ରେ କହିଛନ୍ତି। ସ୍ଥାନୀୟ ସମୟ ଅପରାହ୍ନ ୧୨ଟା ୫୦ରେ ରେକର୍ଡ ହୋଇଥିବା ଏହି ଭୂମିକମ୍ପ ବହୁ ଦୂରରେ ଅନୁଭୂତ ହୋଇଥିଲା ଏବଂ ଭାରତ, ଚୀନ୍, ଥାଇଲାଣ୍ଡ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତୀବ୍ର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବର୍ମା ସହର ସାଗାଇଙ୍ଗଠାରୁ ୧୬ କିଲୋମିଟର ଉତ୍ତର-ପଶ୍ଚିମଦିଗରେ ୧୦ କିଲୋମିଟର ଗଭୀରତାରେ ଥିଲା।

Leave A Reply

Your email address will not be published.