ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ ;ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ
ସଂକ୍ରମଣରୁ ଗ୍ରାମାଞ୍ଚଳକୁ ମୁକ୍ତ ରଖ
By Papu Mohanty
ନୂଆଦିଲ୍ଲୀ : May 11: ଲୋକଙ୍କ ଇଚ୍ଛା ଲକ୍ଡାଉନ୍ ବ୍ୟବସ୍ଥାରେ କୋହଳ ହେଉ । ତେବେ ଗ୍ରାମୀଣ ଭାରତରେ କିଭଳି କରୋନା ସଂକ୍ରମଣ ହେବନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ମାନବ ପ୍ରକୃତି ହେଉଛି ସେମାନେ ନିଜ ଘରକୁ ଫେରିବାକୁ ଚାହିଁବେ । ତେଣୁ ସବୁକୁ ଦୃଷ୍ଟିରେ ରଖି ଆମକୁ କରୋନା ସହ ଲଢ଼େଇ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି । ଏହାଛଡା ଲକ୍ଡାଉନ୍ ଅବଧିକୁ ମେ’ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଦାଦନ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନରେ ସୃଷ୍ଟି ହୋଇଥିବା ସମସ୍ୟାକୁ ନେଇ ସବୁ ମୁଖ୍ୟମନ୍ତ୍ରୀମାନେ ଉଦ୍ବେଗ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସରିବାକୁ ଆଉ ସପ୍ତାହେ ଥିବାବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଭିଡିଓ କନ୍ଫରେନ୍ସିଂ କରିଛନ୍ତି । ଏହା ହେଉଛି ତାଙ୍କର ପଞ୍ଚମ ଭିଡିଓ କନ୍ଫରେନ୍ସିଂ । ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବ । କୋଭିଡ ସଙ୍କଟ ସତ୍ତେ୍ୱ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହୋଇଛି । କୋଭିଡ ବିରୋଧୀ ଲଢ଼େଇକୁ ଏଣିକି ଗୁରୁତ୍ୱ ଦିଆଯିବ । କୋଭିଡ ସଂକ୍ରମଣରୁ ଗ୍ରାମାଞ୍ଚଳକୁ ମୁକ୍ତ ରଖିବାକୁ ପ୍ରାଧାନ୍ୟ ଦିଆଯିବ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ପାତରଅନ୍ତର ନୀତି ନେଇ ବର୍ଷିଥିଲେ । ସେ କହିଥିଲେ ଯେ କରୋନା ଭାଇରସ୍ ସହ ଲଢ଼େଇ ବେଳେ ସବୁକିଛିକୁ ଭୁଲିଯିବା ଦରକାର । ମାତ୍ର ଏହି ସମୟରେ ରଜାନୀତି କରାଯାଉଛି । ବର୍ତ୍ତମାନ ସମୟରେ ରାଜନୀତି ହେବା ଉଚିତ୍ ନୁହେଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାନି ସ୍ୱାମୀ ଏହି ମାସରେ ବିମାନ ଓ ଟ୍ରେନ୍ ସେବା ଚଳାଚଳ ନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ଚେନ୍ନାଇରେ ଏହା ନ କରାଯାଉ । ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେzି କହିଥିଲେ ଯେ କୃଷି ବଜାର, ସାଧାରଣ ପରିବହନ, ବଜାର, ସପିଂ ମଲ୍ଗୁଡିକୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର ଜରିଆରେ ଖୋଲିବା ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରନ୍ତୁ ନାହିଁ । ଫଳରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ତେଲେଙ୍ଗାନା, ଆନ୍ଧ୍ର, ତାମିଲନାଡୁ, ଛାତିଶଗଡ ମୁଖ୍ୟମନ୍ତ୍ରୀ ପ୍ରମୁଖ ଟ୍ରେନ୍ ଚଳାଚଳକୁ ବିରୋଧ କରିଥିଲେ । ଲୋକମାନଙ୍କୁ ଚିହ୍ନଟ କରିବା ଓ କୋଭିଡ୍ ଆକ୍ରାନ୍ତଙ୍କୁ ପୃଥକ୍ବାସରେ ରଖିବା ଏହା ସମସ୍ୟା ସୃଷ୍ଟି କରିପାରେ । ସେହିଭଳି ସମସ୍ତ ରାଜ୍ୟ ମଧ୍ୟ ଦାଦନ ଶ୍ରମିକଙ୍କୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଲକ୍ଡାଉନ୍ ଯୋଗୁ ଦାଦନ ଶ୍ରମିକମାନେ କାମ ହରାଇଛନ୍ତି । ବିନା ଖାଦ୍ୟ ଓ ଆଶ୍ରୟରେ ମାଇଲ୍ ମାଇଲ୍ ବ୍ୟାପୀ ଚାଲି ଚାଲି ଘରକୁ ଆସୁଛନ୍ତି । ସଟ୍ଡାଉନ୍ ପୂର୍ବରୁ ଏ ସମ୍ପର୍କରେ ପଦକ୍ଷେପ ନିଆଯିବାର ଥିଲା । ଆର୍ଥିକ କାର୍ଯ୍ୟକ୍ରମ ଏମାନଙ୍କୁ ସହାୟତା କରିବ । ସେହିଭଳି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ମୁଖ୍ୟମନ୍ତ୍ରୀମାନେ ଲକ୍ଡାଉନ୍ ଜାରି ରହିବା ସପକ୍ଷରେ ମତ ଦେଇଥିଲେ । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନେ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.