ରାଜ୍ୟରେ ବଢୁଛି ସାପ କାମୁଡ଼ା ଜନିତ ମୃତ୍ୟୁ , ଗୋଟିଏ ଦିନରେ ୩ ମୃତ

ଦେବଗଡ଼ : ସାପ କାମୁଡ଼ାରେ ଏକା ସହିତ ଚାଲି ଗଲେ ୨ ନାବାଳକ ଶିଶୁ ପୁତ୍ର । ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ଜଙ୍ଗଲିକୁଦ ଗ୍ରାମରେ I ମୃତ ୨ ଭାଇ ହେଲେ ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ (୧୪) ଏବଂ ସୌଭାଗ୍ୟ (୮) I ଉଭୟ ଭାଇ ଦିବ୍ୟାଙ୍ଗ I

ସୂଚନା ଅନୁଯାୟୀ, ଗତ ରାତିରେ ଘର ଚଟାଣରେ ଦୁଇ ଭାଇ ଶୋଇଥିବା ବେଳେ ଦୁଇ ଜଣଙ୍କୁ ଚିତି ସାପ କାମୁଡିଦେଇଥିଲା I ପିଲା ମାନଙ୍କ ପାଟି ଶୁଣି ଘର ଲୋକ କବାଟ ଖୋଲି ଘରେ ଚିତି ସାପ ଥିବାର ଦେଖିଥିଲେ । ତୁରନ୍ତ ପିଲାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି। ଏହାସହ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ସର୍ବେଶ୍ୱରଙ୍କର ବଡ଼ ଝିଅ ତପସ୍ୱିନୀ ବଲାଙ୍ଗୀରରେ ଏକ ଘରୋଇ ନର୍ସିଙ୍ଗ ହୋମରେ ରହି କାମ କରୁଛନ୍ତି I ବଡ଼ପୁଅ ଗୌରାଙ୍ଗ ଦେହୁରୀ ଦେବଗଡ଼ ଆରଡ଼ିବି ସ୍କୁଲ ରେ ୭ମ ଶ୍ରେଣୀରେ ପଢୁଥିବାବେଳେ ସଁ ପୁଅ ସୌଭାଗ୍ୟ ଘରେ ରହୁଥିଲେ I

ଅନ୍ୟପଟେ ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗାଁରେ, ମାଆ ଓ ପୁଅ (ଦେଢ଼ ବର୍ଷ ) ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ଚିତି ସାପ ଘରେ ପଶି ଦୁଇ ଜଣଙ୍କୁ କାମୁଡ଼ି ଦେଇଥିଲା। ଏହା ଦେଖି ପରିବାର ଲୋକେ ମା’ ମିନତୀ ଓ ପୁଅଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମା ମିନତୀଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଉଲ୍ଲେଖନୀୟ, ଗତ ଶନିବାର ଦିନ କେନ୍ଦୁଝର ଜିଲ୍ଲାରେ ୪ଜଣ ଛାତ୍ରଛାତ୍ରୀ କୋଚିଙ୍ଗ ସେଣ୍ଟରରେ ଶୋଇଥିବା ବେଳେ ବିଷାକ୍ତ ସାପ ସମସ୍ତଙ୍କୁ କାମୁଡି ଦେଇଥିଲା । ଏଥିରେ ୩ ଛାତ୍ରଛାତ୍ରୀ ମୃତ୍ୟୁ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.