ରାହୁଲଙ୍କ ବିରୋଧରେ ଟ୍ବିଟ୍‌ ପାଇଁ ଅମିତ ମାଲଭିୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଜେପିର ଆଇଟି ମୁଖ୍ୟ ଅମିତ ମାଲଭିୟଙ୍କ ବିରୋଧରେ ବେଙ୍ଗାଲୁରୁରେ ଏତଲା ରୁଜୁ ‌ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ଟ୍ବିଟ୍‌ ପାଇଁ ଅମିତ ମାଲଭିୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାଲଭିୟ ସୋର୍ସିଆଲ ମିଡିଆରେ ଲେଖିଛନ୍ତି, ରାହୁଲ ଗାନ୍ଧି ଅତି ବିପଜ୍ଜନକ ଏବଂ ସେ ପ୍ରକୃତରେ ନିଜକୁ ଯାହା ଦେଖାଉଛନ୍ତି ତାହା ସେ ନୁହନ୍ତି। ତେବେ ମାଲଭିୟଙ୍କର ଏହି ଟ୍ବିଟ୍‌କୁ ବିରୋଧ କରି ପୂର୍ବତନ କଂଗ୍ରେସ ବିଧାୟକ ରମେଶ ବାବୁ ଅଭିଯୋଗ କରିବାପରେ ଉକ୍ତ ମାମଲାରେ ଏକ ଏତଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ଏବଂ ସାଂସଦ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, ଉକ୍ତ ଏତଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମାଲଭିୟଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଏବଂ ୫୦୫ (୨) ଅଧୀନରେ ମାମଲା ରୁଜୁ ‌ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ହିଂସା ଏବଂ ଉତ୍ତେଜନା ବଢ଼ାଇବା କାରଣ ପାଇଁ ଏହି ମାମଲା ରୁଜୁ ହୁଏ। ତେଣୁ ରାହୁଲଙ୍କ ବିରୋଧରେ ଟିପ୍ପଣୀ ପାଇଁ କାହିଁକି ଏହି ମାମଲା ରୁଜୁ ହୋଇଛି ବୋଲି ସୂର୍ଯ୍ୟ ପ୍ରଶ୍ନ କରିଛନ୍ତି। ଉକ୍ତ ମାମଲାକୁ ସେମାନେ କୋର୍ଟରେ ଚ୍ୟାଲେଂଜ କରିବେ ବୋଲି ସେ କହିଛନ୍ତି।

Comments are closed.