ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି

ପୁରୀ(ସବୁ୍ୟ): 07/05: ପାରମ୍ପରିକ ବିଧିବିଧାନ ଅନୁଯାୟୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ସଂପନ୍ନ ହୋଇଛି । ବୁଧବାର ଯାତଭୋଗ ଶେଷ ହେବାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ଚନ୍ଦନ ଯାତ୍ରା ପାଇଁ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ । ପରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଉଠିଥିଲା । ମନ୍ଦିର ଭିତରେ ଚାପ ଖେଳ ସାରି ଦିଅଁ ଫେରିବା ପରେ ପାଳିଆ ପୂଜାପଣ୍ଡା ଘଣ୍ଟ, ଛତା, କାହାଳୀ ସହ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରିଥିଲେ । ମଇଲମ, ଆଳତି ସହ ତିନିବାଡ଼ରେ ମହାସ୍ନାନ ଓ ସର୍ବାଙ୍ଗ ହୋଇ ନୂଆଲୁଗା ଓ ଛ ମୂର୍ତ୍ତି ଅଳଙ୍କାର ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲ । ସନ୍ଧ୍ୟାଧୂପ ଶେଷ ହେବାପରେ ମହାଜନ ସେବକମାନେ ଦକ୍ଷିଣୀଘରୁ ଶ୍ରୀନୃସିଂହଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେ ମହାଜନ ସେବକମାନେ ନୃସିଂହଦେବଙ୍କୁ ମୁକ୍ତିମଣ୍ଡପ ଉପରେ ଏକ ଖଟୁଲୀରେ ବିରାଜମାନ କରାଇଥିଲେ । ନୃସିଂହ ମନ୍ଦିରରେ ମହାସ୍ନାନ ପୂଜାରେ ପତି ମହାପାତ୍ର ବସିଥିବା ବେଳେ ପୂଜାପଣ୍ଡା ବିଜେ ନୃସିଂହଙ୍କ ମହାସ୍ନାନ ପୂଜା କରିଥିଲେ । ଏହାପରେ ପଞ୍ଚୋପଚାରରେ ନୃସିଂହଙ୍କୁ ଶୀତଳ ଭୋଗ ମଣୋହି କରାଯାଇଥିଲା ।

Comments are closed.