ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି

ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍‌ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ ଲୋକଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ କିମ୍ବା ଦୁଇ ଡ଼ୋଜ୍‌ ଟିକା ନେବାର ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଦୁଇ ଦିନ ଅର୍ଥାତ୍‌ ୧୨ ତାରିଖରୁ୧୩ ତାରିଖ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ଲୋକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସେଥିନିମନ୍ତେ ସେମାନେ ଯେକୌଣସି ଦ୍ୱାର ଦେଇ ନିଜ ପରିଚୟ ପତ୍ର ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ।
ସେହିପରି ପୁରୀବାସୀ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ପାଇବେ । ୨୧ ଓ ୨୨ ତାରିଖ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିର ବନ୍ଦ ରହିବ । ୨୩ ତାରିଖରୁ ସମସ୍ତ ଦର୍ଶନାର୍ଥୀମାନଙ୍କୁ ଦର୍ଶନ ସୁଯୋଗ ମିଳିବ । ସକାଳ ୭ରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିରେ ସାଧାରଣ ଲୋକଙ୍କ ପ୍ରବେଶ ଲାଗି କରୋନା ଟିକା ନେଇଥିବା ପ୍ରମାଣ ପତ୍ର କିମ୍ବା ୯୬ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
ଏହି ନିୟମକୁ ନେଇ ଦ୍ୱନ୍ଦ ଦେଖାଯାଇଛି । ଜଗତର ଠାକୁର ଶ୍ରୀଜଗନ୍ନାଥ ହେଉଛନ୍ତି ସମସ୍ତଙ୍କର ଠାକୁର ତେବେ ଏହିପରି ଭିନ୍ନ ଭିନ୍ନ ନିୟମ ଯୋଗୁଁ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ସେବକ, କର୍ମଚାରୀ ଓ ଅଧିକାରୀମାନଙ୍କର ଦ୍ୱିତୀୟ ଡୋଜ ଟିକାକରଣ ଶେଷ କରାଯିବ । ସେଥିପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯିବ । ଦର୍ଶନ ଲାଗି ଭକ୍ତମାନଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରାଯିବ । କେଭିଡ୍‌ କଟକଣା ମଧ୍ୟରେ ହାତକୁ ସାନିଟରାଇଜ୍‌ କରି ମାସ୍କ ପରିଧାନ ପୂର୍ବକ ଧାଡ଼ିରେ ଯାଇ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଭକ୍ତମାନେ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ନେଇପାରିବେ । କିନ୍ତୁ ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ ଲାଗି ବାରଣ କରାଯାଇଛି । ସେହିପରି ସଟ୍‌ଡାଉନ୍‌ରେ ଶ୍ରୀମନ୍ଦିର ଚର୍ତୁପାଶ୍ୱକୁ ସାନିଟରାଇଜ୍‌ କରାଯିବ । ଜନ୍ମାଷ୍ଟମୀ ଭଳି ପର୍ବପର୍ବାଣୀମାନଙ୍କରେ ଶ୍ରୀମନ୍ଦିର ଦର୍ଶନାର୍ଥୀମାନଙ୍କ ଲାଗି ବନ୍ଦ ରହିବ ।

Comments are closed.