ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣେ ୩୬ ବର୍ଷୀୟା ମହିଳାଙ୍କୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଈଶା ଛାବ୍ରିଆଙ୍କୁ ଆଜି ସକାଳେ ବାନ୍ଦ୍ରାର ଏକ କୋର୍ଟରେ ହାଜର କରାଯାଇଥିଲା। ସଲମାନ ଖାନ ତାଙ୍କ ପରିବାର ସହିତ ରହୁଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ କୋର୍ଟ ତାଙ୍କୁ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ନିଜକୁ ଜଣେ ମଡେଲ ବୋଲି ଦାବି କରୁଥିବା ଛାବ୍ରିଆ ୨୧ ମଇ ସକାଳ ପ୍ରାୟ ୩ଟା ସମୟରେ ଆପାର୍ଟମେଣ୍ଟ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ପଚରାଉଚରା ସମୟରେ, ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଅଭିନେତା ନିଜେ ନିମନ୍ତ୍ରଣ କରିଥିଲେ ଏବଂ ଖାନଙ୍କ ଆପାର୍ଟମେଣ୍ଟର ଦ୍ୱାର ବାଡାଇବା ପରେ ଖାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଭେଟିଥିବା ମଧ୍ୟ କହିଥିଲେ। ତଥାପି, ପୋଲିସ ତାଙ୍କ ଦାବିକୁ ସମର୍ଥନ କରୁଥିବା କୌଣସି ପ୍ରମାଣ ପାଇନାହିଁ। ଅଧିକାରୀଙ୍କ ଅନୁଯାୟୀ, ଇଶା ଦାବି କରିଛନ୍ତି ଯେ ସେ ଖାରରେ ରୁହନ୍ତି ଏବଂ ଛଅ ମାସ ପୂର୍ବେ ଏକ ପାର୍ଟିରେ ସଲମାନ ଖାନଙ୍କୁ ଭେଟିଥିଲେ। ଅଭିନେତାଙ୍କ ପରିବାର ମହିଳା କିମ୍ବା ତାଙ୍କ ଦାବି ସହିତ କୌଣସି ସମ୍ପର୍କକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ଘଟଣାଟି ମେ ୨୦ ତାରିଖରେ ଜିତେନ୍ଦ୍ର କୁମାର ସିଂହ ନାମକ ଜଣେ ବ୍ୟକ୍ତି ବଲିଉଡ୍ ଷ୍ଟାରଙ୍କୁ ଭେଟିବା ପାଇଁ ସେହି ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ଚେଷ୍ଟା କରିବାର ଗୋଟିଏ ଦିନ ପରେ ଘଟିଥିଲା। ମୁମ୍ବାଇ ପୋଲିସ ସଂପୃକ୍ତି ଯୁବତୀଙ୍କ ନାମରେ ଲଗାତାର ବେଆଇନ ଅନୁପ୍ରବେଶ ଘଟଣା ସହିତ ଜଡିତ ଦୁଇଟି ପୃଥକ ମାମଲା ପଞ୍ଜିକୃତ କରିଛି।