ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସାଉଦି ଆରବକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ଗତ ଦଶନ୍ଧି ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କର ସାଉଦି ଆରବକୁ ତୃତୀୟ ଏବଂ ଜେଦ୍ଦା ସହରକୁ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ସମୟରେ ହଜ୍ କୋଟା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୨୨ ଏବଂ ୨୩ ଏପ୍ରିଲରେ ଜେଦ୍ଦାରେ ରହିବେ। ଏହାବାଦ୍ ରଣନୈତିକ ସହଭାଗୀତା ପରିଷଦର ଦ୍ୱିତୀୟ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଦୁଇ ଦେଶ ଛଅଟି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିବେ ବୋଲି ପିଟିଆଇ ସୂତ୍ରରୁ ପ୍ରକାଶ। ମହାକାଶ, ଶକ୍ତି, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ବୈଜ୍ଞାନିକ ଗବେଷଣା, ସଂସ୍କୃତି ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷର କରିବାର ଆଶା କରାଯାଉଛି। ସୂଚନାଯୋଗ୍ୟ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗତ ସପ୍ତାହରେ କହିଥିଲେ ଯେ ଏହି ଗସ୍ତ ପଶ୍ଚିମ ଏସିଆର ପରିସ୍ଥିତି, ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଏବଂ ହୁଥି ଆକ୍ରମଣ ଦ୍ୱାରା ସାମୁଦ୍ରିକ ସୁରକ୍ଷା ପ୍ରତି ବିପଦ ସମେତ ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ।