ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ

ଲଦାଖ : ବିସ୍ତାରବାଦ ଯୁଗର ଅବସାନ ଘଟିଛି । ଚୀନ ଆଉ କାହାରିକୁ ନାଲି ଆଖି ଦେଖାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଚେତାବନୀ ଦେଇଛନ୍ତି । ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଇଠାରୁ ଚାଇନାକୁ କଡ଼ା ଚେନାବନୀ ଦେଇଛନ୍ତି ।ପୂର୍ବ ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ମୋଦି ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏଥିସହ ଚାଇନାର ବିସ୍ତାରବାଦ ନୀତିକୁ ସେ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ ବର୍ଷ ଗୁଡ଼ିକରେ ବିସ୍ତାରବାଦୀ ନୀତି ହିଁ ମାନବଜାତିର ସବୁ ଠାରୁ ଅଧିକ କ୍ଷତି କରିଛ । ମାନବ ଜାତିର ବିନାଶ ପାଇଁ ବିସ୍ତାରବାଦୀ ନୀତି ହିଁ ଦାୟୀ । ବିସ୍ତାରବାଦୀ ନୀତିକୁ ଯିଏ ବି ଆପଣାଇବାକୁ ଚେଷ୍ଟା କରିଛି, ସେ ସର୍ବଦା ବିଶ୍ୱର ଶାନ୍ତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୂରା ବିଶ୍ୱ ବିସ୍ତାରବାଦ ନୀତି ବିରୋଧରେ ସ୍ୱର ଉଠାଉଛ । ଏବେ ବିଶ୍ୱ ବିକାଶବାଦୀ ଉପରେ ଗୁରୁତ୍ୱ ଦେଉଛି । ସୈନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଆପଣ ଓ ଆପଣଙ୍କ ସାଥିମାନେ ପ୍ରଦର୍ଶନ କରିଥିବା ସାହସିକତା ବିଶ୍ୱକୁ ଭାରତର ସାମର୍ଥ୍ୟର ବାର୍ତ୍ତା ଦେଇଛି । ଆପଣମାନଙ୍କ ସାହସିକତା କାରଣରୁ ହିଁ ଦେଶବାସୀ ଶାନ୍ତିରେ ବିଶ୍ରାମ କରିପାରୁଛନ୍ତି । ଆମ ଯବାନମାନଙ୍କ ସାହସିକତା ଏବଂ ବଳିଦାନ କାରଣରୁ ଆତ୍ମନିର୍ଭର ଭାରତ ପ୍ରତିବଦ୍ଧତା ସୁଦୃଢ ହୋଇଛ । ବିଶ୍ୱରେ ଭାରତ ସର୍ବଦା ଶାନ୍ତିର ପଥ ଅନୁସରଣ କରିଛି । ଦୁର୍ବଳମାନେ କଦାପି ଶାନ୍ତି ପଥରେ ପାଦ ଦେଇ ପାରନ୍ତି ନାହିଁ ।ଶାନ୍ତି ପାଇଁ ସାହସିକତା ଏବଂ ସାହସ ଅତ୍ୟାବଶ୍ୟକ । କାହାରି ନାମ ନ ଧରି ପ୍ରଧାମନ୍ତ୍ରୀ କହିଲେ, ସାମ୍ରାଜ୍ୟ ବିସ୍ତାରର ଯୁଗ ବିତିଯାଇଛି, ଏହା ହେଉଛି ବିକାଶର ଯୁଗ । ଇତିହାସ ଦେଖିଛି, ସାମ୍ରାଜ୍ୟବିସ୍ତାରକ ଶକ୍ତିମାନେ ପରାଜିତ ହୋଇଛନ୍ତି କିମ୍ବା ପଛଘୁଞ୍ଚା ଦେଇଛନ୍ତି । ଶୁକ୍ରବାର ସକାଳେ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାୱତ ଏବଂ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହରେ ପହଞ୍ଚିଥିଲେ । ସେଠାରୁ ସେ ସିଧା ନିମୁ ଯାଇ ୧୪ କର୍ପସ୍‌ ମୁଖ୍ୟାଳୟରେ ପହଞ୍ଚିଥିଲେ । ଭାରତର ସୀମାନ୍ତ ସୁରକ୍ଷିତ ରଖିବାକୁ ଲଦାଖରେ ମୁତୟନ ହୋଇଥିବା ଭାରତୀୟ ସେନାର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅଭିବାଦନ ଜଣାଇଥିଲେ । ଜୁନ୍‌ ୧୫ ତାରିଖରେ ଗଲ୍‌ୱାନ୍‌ ଉପତ୍ୟକାରେ ଚୀନ୍‌ ସେନିକମାନଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments are closed.