ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଛନ୍ତି। ସୁପ୍ରମିକୋର୍ଟଙ୍କ ରାୟ ଆସିବା ସହ ରାହୁଲ ଗାନ୍ଧି ଏବେ ପୁଣିଥରେ ତାଙ୍କ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ମାତ୍ରାଧିକ ଦଣ୍ଡ ଦେବା ନେଇ ସୁରଟ କୋର୍ଟ ସେଭଳି କୌଣସି କାରଣ ଦର୍ଶାଇନାହାନ୍ତି। ତେଣୁ ଦଣ୍ଡାଦେଶ ରାୟ ଉପରେ ରହିତାଦେଶ ଲାଗିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ବି.ଆର ଗୱାଇ, ପିଏସ୍ ନରସିଂହ ଏବଂ ସଂଜୟ କୁମାରଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ରାହୁଲଙ୍କ ଆବେଦନର ଶୁଣାଣି ହୋଇଥିଲା। ତେବେ କୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଟିପ୍ପଣୀ ଅଶୋଭନୀୟ ଥିଲା। ଜଣେ ବ୍ୟକ୍ତି ଯେତେବେଳେ ସର୍ବସାଧାରଣରେ ଭାଷଣ ଦେଉଛନ୍ତି ସେ ସମୟରେ ସେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ୨୦୧୯ ଏପ୍ରିଲରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ରାଲିରେ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ଇଙ୍ଗିତ କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ଏହି ଟିପ୍ପଣୀ ପାଇଁ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ରାହୁଲ ଗାନ୍ଧି କହିଥିଲେ, ସମସ୍ତ ଚୋରଙ୍କର ସାଙ୍ଗିଆ ମୋଦୀ କିଭଳି। ଏଥିପାଇଁ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଗତ ମାର୍ଚ୍ଚ ୨୩ ତାରିଖରେ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ। ରାହୁଲ ସୁରଟ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଂଜ କରିଥିଲେ। କିନ୍ତୁ ହାଇକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରିବାପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Comments are closed.