ସୁବାସ ଚୌହାନଙ୍କ ପରଲୋକ

Edited by Papu Mohanty

ଭୁବନେଶ୍ୱର : 10/05: ବିଜେଡିର ଜଣେ ଟାଣୁଆ ନେତା ତଥା ପଞ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ଲିଭର କ୍ୟାନ୍‌ସରରେ ପୀଡିତ ହୋଇ ସେ ଚିକିତ୍ସାଧୀନ ଥିଲେ । ତେବେ ଶନିବାର ତାଙ୍କର ଅବସ୍ଥା ଉଦ୍‌ବେଗଜନକ ହୋଇଥିଲା ଭୋର ପ୍ରାୟ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ସୁବାସ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ଆଗ ଧାଡିର କାର୍ଯ୍ୟକର୍ତ୍ତା ଥିଲେ । ଦୀର୍ଘ ୩୦ବର୍ଷ ଧରି ସଂଘ ପରିବାରରେ କାର୍ଯ୍ୟ କରିବା ସହିତ ହିନ୍ଦୁ ଜାଗରଣ ସାମୁଖ୍ୟ ଓ ବଜରଙ୍ଗ ଦଳର ସକ୍ରିୟ ସଦସ୍ୟଭାବେ କାର୍ଯ୍ୟ କରିଥିଲେ । ୨୦୧୪ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ବରଗଡ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ଅଳ୍ପ ଭୋଟରେ ହାରି ଯାଇଥିଲେ । ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡ଼ିରେ ଯୋଗଦେବା ପରେ ଯଦିଓ ନିର୍ବାଚନ ଲଢ଼ିନଥିଲେ ତେବେ ବିଜେଡି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଥିଲା । କାର୍ଯ୍ୟକାଳ ଅଳ୍ପ ଦିନ ହୋଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ସେମାନେ କହିଛନ୍ତି ।

Comments are closed.