ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଅଗଷ୍ଟ ୫: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ରାମ ଜନ୍ମଭୂମି ଅଯୋଧ୍ୟାରେ କୋଟି କୋଟି ଲୋକଙ୍କ ହୃଦୟର ଦେବତା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂଜାର ରୀତିନୀତି ଓ ମନ୍ତ୍ରଉଚାଣର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜା ସମାପ୍ତି ହେବା ପରେ ମନ୍ଦିରର ଶିଳାନ୍ୟାଶ କରିଥିଲେ ପ୍ରଧାନମନ୍ତ୍ରୀ । ପୂର୍ବ ନିର୍ଦ୍ଧାରିତ ସମୟ ୧୨ଘଂଟା ୪୪ମିନିଟ ୮ସେକେଣ୍ଡରେ ହୋଇଥିଲା ଶିଳାନ୍ୟାସ । ପୂଜାସ୍ଥଳରେ ୯ଟି ଶିଳାର ସ୍ଥାପନ କରାଯିବା ସହ ପ୍ରଭୁ ଶ୍ରୀରାମଙ୍କ କୂଳଦେବୀ କାଳୀ ମାତାଙ୍କର ବି ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ୧୯୮୯ରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପଠାଇଥିବା ଶ୍ରୀରାମ ଲିଖିତ ୯ଟି ଇଟା ବା ପଥର ଖଣ୍ଡ ସ୍ଥାପନ କରାଯାଇଛି । ଏହି ପରି ପ୍ରାୟ ୨ଲକ୍ଷ ୭୫ହଜାର ଇଟା ରହିଛି ଏଥିମଧ୍ୟରୁ ଶହେଟି ଇଟା ଯେଉଁଥିରେ ଶ୍ରୀରାମ ଖୋଦିତ ହୋଇଛି, ତାକୁ ନିଆଯାଇଛି । ରାମ ମନ୍ଦିରର ଭୂମି ପୁଜା ପାଇଁ ୨ହଜାରରୁ ଅଧିକ ତୀର୍ଥସ୍ଥାନର ମାଟି ଓ ଶହେରୁ ଅଧିକ ନଦୀର ପାଣି ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଶ୍ରୀରାମ ଜନ୍ମ ଭୂୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ୧୭୫ଅତିଥିଙ୍କ ସହ ୧୩୫ଜଣ ଧାର୍ମିକ ଗୁରୁଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ତେବେ ପବିତ୍ର ରାମ ଜନ୍ମ ଭୂମିରେ ରାମ ମନ୍ଦିର ଶିଳାନ୍ୟାସ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟରେ କହିଛନ୍ତି ଯେ, ପରସ୍ପର ମଧ୍ୟରେ ସ୍ନେହ ଏବଂ ଭାଇଚାରା ସନ୍ଦେଶ ନେଇ ଆମକୁ ଏହି ପବିତ୍ର ରାମ ମନ୍ଦିରର ପ୍ରତିଟି ଶିଳାକୁ ଯୋଡିବାକୁ ହେବ । କାରଣ ଯେବେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କୁ ସୁମରଣ କରନ୍ତି ଆମର ବିକାଶ ହୋଇଛି ଆଉ ଯେତେବେଳେ ଏଥିରୁ ବିଚ୍ୟୁତ ହୋଇଛନ୍ତି ସେତେବେଳେ ଆମର ବିନାଶ ହୋଇଛି । ସମସ୍ତଙ୍କ ଭାବନାକୁ ନଜରରେ ରଖିବାର ଅଛି, ସମସ୍ତଙ୍କୁ ନେଇ ଏବଂ ସଭିଙ୍କ ବିକାଶ କରିବାର ଆବଶ୍ୟକତା ରହିଛି । କରୋନା ମହାମାରୀ ଯୋଗୁଁ ଦେଶରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି, ରାମଙ୍କ ଦ୍ୱାରା ଦିଆଯାଇଥିବା ମର୍ଯ୍ୟାଦାର ରାସ୍ତା ନିହାତି ଜରୁରୀ । ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିବା ଅବସରରେ ଅଯୋଧ୍ୟା ନରେଶ ରାମଲାଲାଙ୍କ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଷ୍ଟାଙ୍ଗ ପ୍ରଣିପାତ କରି ଶ୍ରୀରାମଙ୍କ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ପ୍ରଭୁଙ୍କ ନିକଟରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ମନ୍ଦିର ପରିସରରେ ଏକ ବୃକ୍ଷ ମଧ୍ୟ ରୋପଣ କରିଥିଲେ । ଏହା ପୂର୍ବରୁ ଅଯୋଧ୍ୟାରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ହନୁମାନ ଗଡିକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ରାମଲାଲାଙ୍କ ମନ୍ଦିରକୁ ଯାଇଥିଲେ । କରୋନା କଟକଣା ଭିତରେ ଭୂମି ପୂଜନ ପାଇଁ ମୁହଁରେ ମାସ୍କ ପିନ୍ଧି ସକାଳୁ ସକାଳୁ ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ । ବାୟୁସେନର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଲକ୍ଷ୍ମୌ ଆସିବା ପରେଏକ ହେଲିକପଫର ଯୋଗେ ଅଯୋଧ୍ୟାରେ ପହଁଚିଥିଲେ । ହିଲେପ୍ୟାଡ୍‌ରୁ ସ୍ୱତନ୍ତ୍ର ଗାଡି ଯୋଗେ ରାମଚନ୍ଦ୍ରଙ୍କ ଜନ୍ମ ଭୂମିରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଷ ବର୍ଷ ଧରି ଟେଣ୍ଟ ତଳେ ରହିଥିବା ରାମଲାଲାଙ୍କ ପାଇଁ ଖୁବ୍‌ ଶୀଘ୍ର ତିଆରି ହେବ ରାମ ମନ୍ଦିର । ଆଉ ଏହି ରାମ ମନ୍ଦିର ଆଧୁନିକ ଭାରତର ପ୍ରତୀକ ହେବ । ସାରା ବିଶ୍ୱରେ ଭାରତ ରାଷ୍ଟ୍ରିୟ ଭାବନାର ପ୍ରତୀକ ହୋଇ ଠିଆ ହେବ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଏହି ରାମ ମନ୍ଦିର ।

Comments are closed.