ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଭୁବନେଶ୍ୱର : ଅଗଷ୍ଟ ୦୨:ସୋମବାର ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି । ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ଏବର୍ଷ ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ହୋଇଛି ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ରେଖା ପଞ୍ଚମୀ ସମୟରେ ବାସୁଙ୍ଗା ପାଟର ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ । ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳ ବି ତିଆରି ହୋଇଛି । ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି ।

Comments are closed.