ନୂଆଦିଲ୍ଲୀ: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିତା ଏହି ତଥ୍ୟ ଦେଇନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତ ତିନିବର୍ଷର ବିଦେଶଗସ୍ତ ଖର୍ଚ୍ଚର ବିବରଣୀ ଓ ଗସ୍ତୱାରି ଖର୍ଚ୍ଚର ତଥ୍ୟ ରଖିବାକୁ ସାଂସଦ ଖଡ଼ଗେ ଦାବି କରିଥିଲେ। ତଥ୍ୟରେ ପ୍ରଧାନମନ୍ତ୍ରୀଙ୍କ ୩୮ଟି ବିଦେଶ ଗସ୍ତର ଖର୍ଚ୍ଚ ବିବରଣୀ ଦିଆଯାଇଛି। ଜୁନ୍ ୨୦୨୩ରେ ଆମେରିକା ଗସ୍ତରେ ୨୨,୮୯,୬୮,୫୦୯ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୪ ସେପ୍ଟମ୍ବରରେ ଆମେରିକା ଗସ୍ତରେ ୧୫, ୩୩, ୭୬, ୩୪୮ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୩ ମେ ରେ ଜାପାନ୍ ଗସ୍ତରେ ୧୭,୧୯,୩୩, ୩୫୬ ଟଙ୍କା, ୨୦୨୨ ମେ ରେ ନେପାଳ ଗସ୍ତରେ ୮୦, ୦୧, ୪୮୩ ଟଙ୍କା ଖର୍ଚ୍ଚ ହୋଇଛି। ସୂଚନାଯୋଗ୍ୟ, ୨୦୧୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରେ ୧୦, ୭୪, ୨୭, ୩୬୩ ଟଙ୍କା, ୨୦୧୩ ରୁଷିଆ ଗସ୍ତରେ ୯,୯୫, ୭୬, ୮୯୦ ଟଙ୍କା, ୨୦୧୧ ଫ୍ରାନ୍ସ ଗସ୍ତରେ ୮,୩୩, ୪୯, ୪୬୩ ଟଙ୍କା, ୨୦୧୩ ଜର୍ମାନୀ ଗସ୍ତରେ ୬,୦୨, ୨୩, ୪୮୪ ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ମଧ୍ୟ ରଖାଯାଇଛି।