୫ରୁ ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର : ଅଗଷ୍ଟ ୩: ୫ତାରିଖରୁ ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର । ଏଥିପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ ୩.୦ରେ ଆସନ୍ତା ୫ତାରିଖରୁ କଟକଣା ଭିତରେ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳା ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ୧୯ର ସଂକ୍ରମଣ ଦୃଷ୍ଟିରୁ ସଦସ୍ୟ, କର୍ମଚାରୀ ଏବଂ ଏଠାକୁ ଆସୁଥିବା ଶିକ୍ଷାର୍ଥୀ ସିଧାସଳଖ କେହି କାହା ସଂସ୍ପର୍ଶରେ ଆସିବେ ନାହିଁ । ସାମାଜିକ ଦୂରତା ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଭିତରେ ଯୋଗ କେନ୍ଦ୍ର ଓ ଜିମ୍‌ ଚାଲିପାରିବ । ପରସ୍ପର ଭିତରେ ଅତି କମରେ ୬ ଫୁଟ ଦୂରତା ବଜାୟ ରହିବ । ଏହି ପରିପ୍ରେକ୍ଷୀରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ବ୍ୟାୟାମଶାଳାର ସମସ୍ତ ସାମଗ୍ରୀ ବିଶୋଧନ ହେବା ସୁନିଶ୍ଚିତ କରାଯିବ । ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସାମିଲ ହେବାକୁ ବାରଣ କରାଯାଇଛି । ସମସ୍ତ ଜିମ୍‌ ସାମଗ୍ରୀ ନିକଟରେ ହାଣ୍ଡ ସାନିଟାଇଜର ରହିବା ବାଧ୍ୟତାମୂଳକ । ଜିମ୍‌ ବ୍ୟବହାର କରିବା ପୂର୍ବରୁ ସମସ୍ତ ବ୍ୟକ୍ତି ହାତ ସାନିଟାଇଜ୍‌ କରିବା ସୁନିଶ୍ଚିତ କରିବେ ସଂସ୍ଥା ପରିଚାଳକ । ଯୋଗ କେନ୍ଦ୍ରରେ ସର୍ବସାଧାରଣ ବ୍ୟବହାର ହେଉଥିବା ମ୍ୟାଟ୍‌ ବ୍ୟବହାର ହେବ ନାହିଁ । ସଦସ୍ୟମାନେ ନିଜ ନିଜ ମ୍ୟାଟ୍‌ ଆଣିବେ । ନିୟମିତ ବ୍ୟବଧାନରେ ଜିମାନସିଅମ୍‌ ଓ ଯୋଗ କେନ୍ଦ୍ରକୁ ବିଶୋଧନ କରାଯିବ । ଏସବୁ କେନ୍ଦ୍ର ବନ୍ଦ କରିବା ଆଗରୁ ସଂପୂର୍ଣ୍ଣ ବିଶୋଧନ କରାଯିବ ।

Comments are closed.