୫ ମାସ ପରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଟପିଲା

‌ଦେଶରେ ସକ୍ରିୟ ମାମଲା ୮ ହଜାର ଛୁଇଁବ

ନୂଆଦିଲ୍ଲୀ, ୨୪/୩ : ୫ ମାସ ପରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଟପିଛି। ଦିଲ୍ଲୀରେ ଆଜି ୧୧୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ୨୦୨୨ ଅକ୍ଟୋବର ୨୯ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଉପରେ ଥିଲା। ଦିଲ୍ଲୀରେ ପଜିଟିଭ ହାର ୪.୯୫ ପ୍ରତିଶତ। ଅନ୍ୟପକ୍ଷେ ଦେଶ‌ରେ ଆଜି ପୁଣି ୧୨୪୯ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୧ ହଜାର ଉପରେ ରହୁଥିବାରୁ ଦେଶରେ ସକ୍ରିୟ ମାମଲା ୮ ହଜାର ଛୁଇଁବ। ଦେଶରେ ମୋଟ୍‌ ସକ୍ରୀୟ ମାମଲା ଏବେ ୭,୯୨୭। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୦,୮୧୮ରେ ପହଞ୍ଚିଛି। ଦେଶରେ ଦେଶରେ ଦୈନିକ ପଜିଟିଭ ହାର ୧.୧୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୧୪ ପ୍ରତିଶତ। ମୋଟ୍‌ ୪.୪୭ କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା ଏବେ ମୋଟ୍‌ ସଂକ୍ରମଣ ମାମଲାର ୦.୦୨ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ। ୯୨.୦୭ କୋଟି ନମୁନା ଟେଷ୍ଟ୍‌ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୦୫,୩୧୬ ନମୁନା ପରୀକ୍ଷା ହୋଇଛି। ୪,୪୧,୬୧,୯୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ । ତେ‌ବେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ସତର୍କ କରାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗତକାଲି ସମସ୍ତ ରାଜ୍ୟମାନଙ୍କୁ ୫ ଥାକିଆ ରଣନୀତି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫ଟି ରଣନୀତି ହେଉଛି ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ , ଟିକାକରଣ ଏବଂ କରୋନା ନିୟମାବଳି ପାଳନ କରିବା। ‌ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା‌ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ କରୋନା ପ୍ରସ୍ତୁତି ସମୀକ୍ଷା ପାଇଁ ସମସ୍ତ ହସ୍ପିଟାଲ‌ରୋ ମକଡ୍ରିଲ୍‌ । ତେବେ ଆଶ୍ବସ୍ତିକର ବିଷୟ ହେଉଛି ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁନି।

Comments are closed.