ଭୁବନେଶ୍ୱର : ଜୁନ ୧୦:ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୂଳପତି (ଭିସି)ଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୂଳପତିଙ୍କ କାର୍ଯ୍ୟକାଳ ଅବଧି ଆଉ ୩ ମାସ ବଢ଼ାଇଛନ୍ତି । ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜୁଲାଇ ଓ ଅଗଷ୍ଟରେ କୁଳପତିଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଥିଲା । କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କୁଳପତିମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ହେଲେ ଏହି ସମୟରେ କୁଳପତିମାନେ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ । ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧୪ରେ ଶେଷ ହେଉଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ୩୦ରେ ଶେଷ ହେବାକୁ ଥିଲାବେଳେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅତନୁ କୁମାର ପତିଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହେୁଥିଲା । ସେହିପରି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଜୁଲାଇ ୧୩ ତାରିଖରେ ଅବସର ନେଇଥାନ୍ତେ । ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ମଧୁମିତା ଦାସଙ୍କ କାର୍ଯ୍ୟକାଳ ଅଗଷ୍ଟ ୧ ତାରିଖ ଯାଏଁ ଥିଲା । ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୩୧ରେ ଶେଷ ହେଉଥିଲା । ତେବେ ଉପରୋକ୍ତ କୂଳପତିଙ୍କ କାର୍ଯ୍ୟକାଳ ଆହୁରି ତିନି ମାସ ବୃଦ୍ଧି କରାଯାଇଛି ।
Comments are closed.