ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ବଢିଛି ବନ୍ୟପ୍ରାଣୀ ଶିକାର । ୩ ବର୍ଷରେ ବିଭିନ୍ନ ଜଙ୍ଗଲରେ ଶିକାରୀ ଗୁଳିରେ ୧୪ ବାଘ ଶିକାର ହୋଇଛି । ୨ ଟି ମହାବଳ ଓ ୧୨ ଟି କଲରାପତ୍ରିଆ ବାଘ ଅଛନ୍ତି । ଏମାନଙ୍କ ମଧ୍ୟରୁ କେବେ ଛାଲ ପାଇଁ ବାଘକୁ ମାରୁଛନ୍ତି ତ ଆଉ କେବେ ଦାନ୍ତ ପାଇଁ ଦନ୍ତା ଶିକାର କରୁଛନ୍ତି । ରାଜ୍ୟରେ ଶିକାରୀଙ୍କ ଶିକାର ହୋଇଥିବା ବାଘ ସଂଖ୍ୟା ଠାରୁ ଅଧିକ ଛାଲ ଜବତ ହେଉଛି । ରାଜ୍ୟରେ ୬ଟି ମହାବଳ ବାଘ ଓ ୬୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। କେବଳ ଢ଼େଙ୍କାନାଳ ବନଖଣ୍ଡରେ ୪୧ ହାତୀଙ୍କ ମୃତ୍ୟୁ ହୋଇଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟର ୨୮ଟି ବନଖଣ୍ଡ ଅଞ୍ଚଳରେ ୨୧୦୩ ହାତୀ ଥିବା ୨୦୨୪ ମସିହା ହାତୀ ଗଣନାରୁ ଜଣାପଡ଼ିଛି । ସେଥି ମଧ୍ୟରୁ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ ହାତୀ ରହିଥିବା ବେଳେ ଗତ ୩ ବର୍ଷରେ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୪୧ଗୋଟି ହାତୀଙ୍କ ମୃତ୍ୟୁ ହୋଇଛି ।
ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସରକାର ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ଵାରା ବନ୍ୟପ୍ରାଣୀ ଓ ଶିକାରୀ ନିରୀକ୍ଷଣ କରୁଛନ୍ତି । ଗଜସାଥିଙ୍କୁ ମୁତୟନ କରାଯାଇଥିବା ବେଳେ ଶିକାର ନେଇ ସୂଚନା ଦେଲେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି । ଏହା ଛଡ଼ା ସରକାର ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରୁଛନ୍ତି । ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆ ଯାଉଛି ।