ହାତୀ ଉପଦ୍ରବ, ୭ପରିବାର ଘର ଭାଙ୍ଗିଲେ ଓ ଖାଦ୍ୟ ନଷ୍ଟ କଲେ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ୍‌ ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମ ପଞ୍ଚାୟତର କଲେରକୁଚା (ମୂଷୀଗୁଡା) ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି । ଦିନ ହେଉ ଅବା ରାତି ସେମାନେ ଘରେ ଆତଙ୍କିତ ହୋଇ ରହୁଛନ୍ତି । ଗତ ତିନି ଦିନ ଧରି ଉକ୍ତ ଅଞ୍ଚଳରେ ୧୬ପଟ ହାତୀ ପଲ ଆସି ଉପିାତ ଆରମ୍ଭ କରିଛନ୍ତି । ଦୀର୍ଘ ୧୫ବର୍ଷ ଧରି କଲେରକୁଚା ଜଙ୍ଗଲ ନିକଟରେ ନିଜେ ଘର ତିଆରି କରି ଅନେକ ପରିବାର ସହ ରହିଆସୁଛନ୍ତି ।

ଗତ ୧ତାରିଖ ରାତି ହାତୀ ପଲ ଗାଁରେ ପଶି ଗ୍ରାମବାସୀମାନେ ସାୟିତି ରଖିଥିବା ଧାନ, ଚାଉଳ, ମାଣ୍ଡିଆ, କାନ୍ଦୁଲ ସମେତ ଅନ୍ୟାନ୍ୟ ଜାବତୀୟ ଜିନିଷ ପତ୍ର ନଷ୍ଟ କରି ଦେଇଛନ୍ତି ଏବଂ ଘର ଦ୍ୱାରା ସବୁ ଭାଙ୍ଗି ଚୂରମାର କରିଦେଇଛନ୍ତି । ଯାହା ଫଳରେ ଗ୍ରାମବାସୀମାନଙ୍କର ଖାଇବା ଓ ରହିବା ମୁସ୍କିଲ ହୋଇ ପଡିଛି । ଭୋକ ଉପାସରେ ବହୁ ଦିନ ଧରି ଜୀବନ ବିତାଉଥିବା ଜଣାପଡିଛି । ଗ୍ରାମବାସୀମାନେ ଇତି ମଧ୍ୟରେ ଭବାନୀପାଟଣା ବିଡିଓଙ୍କୁ ଅବଗତ କରାଇଛନ୍ତି । ସରକାରୀ ସହାୟତା ଅପେକ୍ଷାରେ ରହିଥିବା ବେଳେ ଖାଦ୍ୟ ଅଭାବଯୋଗୁଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଘର ବ୍ୟବହାର ଉପଯୋଗୀ ଆସବାପତ୍ର ଓ ବାସନ କୁଶନ ମଧ୍ୟ ନଷ୍ଟ ହୋଇ ଯାଇଛି । ଏଭଳି ଦୟନୀୟ ସ୍ଥିତିରେ ଥିବା ଚେରୁ ତାଣ୍ଡି, ମାନିଆ ହରିଜନ, ହଟିଲ ହରିଜନ, ବୈଶାଖୁ ହରିଜନ, କୁର୍ମା ହରିଜନ, ପ୍ରଦୀପ ହରିଜନ ଓ ଖୁରୀ ମାଝୀ ପ୍ରମୁଖ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ନବ ନିର୍ବାଚିତ ସମିତି ସଭ୍ୟ ଉକ୍ତ ଅଞ୍ଚଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ଦୁଃଖ ବୁଝିବା ସହ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments are closed.