ବଜ୍ରକାପ୍ତା ଡିଲ୍‌ ବେଳେ ଚଢ଼ାଉ, ଉଦ୍ଧାର ହେଲା ୧୧ କେଜିର ଜୀବନ୍ତ ବଜ୍ରକାପ୍ତା

ବଲାଙ୍ଗିର : ଓଡ଼ିଶାର ପଶ୍ଚିମ ଜିଲ୍ଲାରୁ ଏବେ ପଶୁପକ୍ଷୀଙ୍କ ଚମଡ଼ା, ନଖ, ଦାନ୍ତ ଓ ଜଙ୍ଗଲର ମୂଲ୍ୟବାନ ଗଛ ଆଦି ବାହାର ରାଜ୍ୟକୁ ବେଆଇନ ଚାଲଣ ବଢ଼ୁଛି । ଫଳରେ ଓଡ଼ିଶାର ବିରଳ ଜୀବଜନ୍ତୁ ବିଲୁପ୍ତ ପଥରେ ଦେଖାଗଲେଣି । ଏହାଛଡ଼ା ଗଛର ମୂଲ୍ୟବାନ କାଠ ଚେରି ହେବାରୁ ଜଙ୍ଗଲ କ୍ଷୟ ହୋଇ ଓଡ଼ିଶା ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଉଛି । ଏହି ସବୁକୁ ନଜରରେ ରଖି ପଶ୍ଚିମ ଜିଲ୍ଲାର ବନ ବିଭାଗ ସଜାଗ ହୋଇଉଠିଛନ୍ତି । ସେମାନେ ପ୍ରତ୍ୟେକ ଦିନ ଏହିପରି ମାଫିଆଙ୍କୁ ଗିରଫ କରୁଛନ୍ତି । ସେହିପରି ଗତକାଲି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅର୍ନ୍ତଗତ ଅଇଁଠାପାଲିରେ ବଜ୍ରକାପ୍ତା ବିକ୍ରି ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ଏସ୍‌ଟିଏଫ୍‌ ଓ ବଲାଙ୍ଗିର ବନ ବିଭାଗର ମିଳିତ ଚଢ଼ାଉ କରି ୨ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରିଛନ୍ତି । ଏହି ଚଢ଼ାଉରେ ୧୧ କେଜିର ‘ପାଙ୍ଗୋଲିନ’ ଜବତ ହୋଇଛି । ଗିରଫ ହୋଇଥିବା ୨ ଜଙ୍ଗଲୀ ତସ୍କର ହେଉଛନ୍ତି, ଖଇଲାପଲ୍ଲୀର ହେମସାଗର ମହାନନ୍ଦ ଓ ଅଇଁଠାପଲ୍ଲୀର ଲକ୍ଷ୍ମୀଧର ନାୟକ । ତେବେ ଜବତ ହୋଇଥିବା ବଜ୍ରକାପ୍ତାକୁ ବଲାଙ୍ଗିର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏସଟିଏଫ୍‌ ୨୬ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୧୫ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୨ଟି ଜୀବନ୍ତ ବଜ୍ରକାପ୍ତା, ୨୩ କେଜି ବଜ୍ରକାପ୍ତା କାତି ଓ ୪୬ଟି ଜଙ୍ଗଲୀ ସୁଆ ଜବତ କରିଛି । ସେହିପରି ୬୩ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍‌ ।

Comments are closed.