ଭୁବନେଶ୍ୱର : ଅପେକ୍ଷା ର ଘଟିଲା ଅନ୍ତ । ଅପରାହ୍ନ ୪ ଟାରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ୪ଟାରେ ଯୁକ୍ତ ଦୁଇ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦର ଅଧ୍ୟକ୍ଷ ମୁଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାର ଘଣ୍ଟାଏ ପରେ ଅର୍ଥାତ ଅପରାହ୍ଣ ୫ଟାରେ ପରୀକ୍ଷାର୍ଥୀ resulet.odisha.gov.in କିମ୍ବା results.digiliocket.gov.in ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣି ପାରିବେ।
ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏଥିରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୪, ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮୮ ପ୍ରତିଶତ ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି ।
ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷାଫଳ www.chseodisha.nic.in ଏବଂ orissaresults.nic.in ଓ୍ୱେବସାଇଟରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ ।
ଏହା ସହ ପରୀକ୍ଷା ଫଳ ଘୋଷଣାର ଏକଘଣ୍ଟା ପରେ SAMS e-spaceରୁ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ସେମାନଙ୍କ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇପାରିବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ମାର୍ଚ୍ଚ ୨୭ ଯାଏ ହୋଇଥିଲା। ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ।