ଭୁବନେଶ୍ୱର : ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ । ଏ ଦିଗରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ରାଜ୍ୟରେ ପିଏଚ୍ସି ଓ ସିଏଚ୍ସିରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ସେଠାରେ କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଜରୁରି । ଫଳରେ ରାଜ୍ୟବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ରବିବାର ‘ଭିଜନ୍ ଓଡ଼ିଶା ହେଲ୍ଥ କନ୍କ୍ଲେଭ୍’ରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇନ୍ସ୍ୟୁରାନ୍ସ ନୁହେଁ, ଆସ୍ୟୁରାନ୍ସ ମୋଡ୍ରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ସେବା ମିଳିବ । ରାଜ୍ୟର ୩ କୋଟି ଲୋକଙ୍କୁ ସରକାର ସ୍ୱାସ୍ଥ୍ୟକାର୍ଡ ଦେବେ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଖର୍ଚ୍ଚ ଆରମ୍ଭ ହୋଇଯାଇଛି । ଆଗକୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ପୂର୍ବରୁ ଏହି ସ୍ୱାସ୍ଥ୍ୟକାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିଲା, ମାତ୍ର ଏବେ ସମଗ୍ର ଦେଶରେ ୨୭ ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଆଗାମୀ ୫ ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ୍ ବୃଦ୍ଧି କରାଯିବ ।
ଖୁବ୍ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋମେଟ୍ରିକ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ରୋଗୀଙ୍କ ବିସ୍ତୃତ ତଥ୍ୟ ରହିବ । ପିଏଚ୍ସିରୁ ସିଏଚ୍ସି ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଲେ ନ୍ୟାସନାଲ ହେଲ୍ଥ ଡିଜିଟାଲ ମିଶନ ଆଧାରରେ ଡିଜିଟାଲ ତଥ୍ୟ ରଖାଯିବ । ପ୍ରଧାନମନ୍ତ୍ରୀ ସର୍ବ ସ୍ୱାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ହେଲ୍ଥ ୱେଲ୍ନେସ୍ ସେଣ୍ଟର ଖୋଲିବ । ସେଠାରେ ତିନି ଜଣ ପାରା ମେଡିକାଲ ଷ୍ଟାଫ୍, ଜଣେ ଯୋଗ ଶିକ୍ଷକ ଓ ଜିଏନ୍ଏମ୍, ଏଏନ୍ଏମ୍ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)