ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଫେରୁଥିବା ସମୟରେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୩ ମୃତ

ଦିଲ୍ଲୀ: ଅକ୍‌ଟୋବର ୨୮: ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ମାଡ଼ିଗଲା ଟ୍ରକ୍‌ । ଏଥିରେ ୩ ଜଣ ମହିଳାଙ୍କର ମୃତୁ୍ୟ ହେବା ସହିତ ୩ ଜଣ ମହିଳା ଗୁରୁତର ଆହତ ଅଛନ୍ତି । ମୃତ ୩ ଜଣ ପଞ୍ଜାବର ମାନସା ଜିଲ୍ଲାର ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୬ଟାରେ ଝଜ୍ଜର ରୋଡ୍‌ ନିକଟରେ ଥିବା ଏକ ଡିଭାଇଡର୍‌ ଉପରେ ମହିଳାମାନେ ବସିଥିଲେ । ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କ ମୃତୁ୍ୟ ଘଟିଥିବା ବେଳେ ହସ୍ପିଟାଲରେ ଆଉ ଜଣେ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟ ୩ ଜଣ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।
କୁହାଯାଉଛି ଯେ, ମହିଳାମାନେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରି ଡିଭାଇଡର୍‌ ଉପରେ ବସିଥିଲେ । ଏହି ସମୟରେ ଝଜ୍ଜର ରୋଡ୍‌ ସ୍ଥିତ ଫ୍ଲାଏଓଭର ତଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳକୁ ପୋଲିସ୍‌ ଯାଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ୨୦୨୦ ନଭେମ୍ବରରୁ ଦିଲ୍ଲୀ ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନରେ ପୁରୁଷ ଚାଷୀ ସହିତ ମହିଳାମାନେ ମଧ୍ୟ ସାମିଲ ରହିଛନ୍ତି । ଏମାନେ ପାଳି ପାଳି କରି ଆନ୍ଦୋଳନରେ ଯୋଗ ଦେଇସାରି ଘରକୁ ଯିବାର ଥିଲା । ହେଲେ ତା’ପୂର୍ବରୁ ସେମାନଙ୍କ ସହିତ ଏହି ଦୁଃଖଦ ଘଟଣା ଘଟିଛି ।

Comments are closed.