ଏସ୍‌ସିବି ମେଡ଼ିକାଲ୍‌ରେ ନିର୍ମାଣ ହେବ ୫ଶହ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍‌ – ମୁଖ୍ୟମନ୍ତ୍ରୀ

କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ନେଇଛନ୍ତି ପଦକ୍ଷେପ । ଏସ୍‌ସିବି ମେଡ଼ିକାଲ୍‌ରେ ୫ଶହ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍‌ କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ ଅଧୀନରେ ଏହି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏବେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନରେ ଏହି ବୃହତ୍ତ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏହି ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହା ଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ସୁବିଧା ମିଳିପାରିବ ।

ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha… pic.twitter.com/3KZ0RuwYFx

— CMO Odisha (@CMO_Odisha) February 4, 2025

ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବାପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଏସ୍‌ସିବିରେ ୫ଶହ ବେଡ୍‌ ବିଶିଷ୍ଟ ଟ୍ରମା କେୟାର୍‌ ସେଣ୍ଟର ନିର୍ମାଣ ହେବାପରେ ଏହା ପୂର୍ବ ଭାରତର ସର୍ବ ବୃହତ୍ତ ଟ୍ରମା କେୟାର ସେଣ୍ଟର ହେବ ବୋଲି ସୂଚନା ମିଳିଛି । ଏଠାରେ ଆହତ ଓ ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ମାଣ ହେବା ସହ ବହୁ ଅତ୍ୟାଧୁନିକ ସରଞ୍ଜାମ ଓ ଚିକିତ୍ସା ଉପକରଣ ଉପଲବଧ୍‌ ହେବ । ଏଥିରେ ମର୍ଡୁଲାର ଓଟି ସହ ସ୍ୱତନ୍ତ୍ର ଆଇସିୟୁ ଓ ଜରୁରୀକାଳୀନ ଚିକିତ୍ସା, ସ୍ୱତନ୍ତ୍ର ୱାର୍ଡ, ଅନ୍ୟାନ୍ୟ ସୁବିଧା ସହ ଭିତ୍ତିଭୂମି ବ୍ୟାପକ ହେବ ବୋଲି ସୂଚନା ମିଳିଛି।

Har Ghar Tiranga