ରୋଗୀଙ୍କୁ ସୁବିଧାରେ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା – ମୁଖ୍ୟମନ୍ତ୍ରୀ

୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କଲେ ରାଜ୍ୟ ସରକାର I ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରୂପାନ୍ତରିତ ‘ଆମ ହସ୍ପିଟାଲ’ର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନାକୁ ରୂପାନ୍ତରିତ କରାଯାଇଛି I ଏହା ସହ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ଯବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ବ ଦେଉଛନ୍ତି। ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି। ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ। ବିଏସକେୱାଇ ସ୍ବାସ୍ଥ୍ୟସେବାର ମଡେଲ ହୋଇଛି। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି, ଏହି ପରି ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି।

ଏଥି ସହିତ ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା, ଗଂଜାମ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା, ନୂଆପଡା ଖରିଆର ଉପଖଣ୍ଡ ଡାକ୍ତରଖାନା ଓ ବରଗଡର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

Comments are closed.