ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ

ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ୨ ଦିନିଆ ମରିସସ ଗସ୍ତରେ ପ୍ରଧାନମନ୍ତ୍ରୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ମରିସସ୍‌ର ସର୍ବୋଚ୍ଚ ସମ୍ମାନ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସେନ୍‌’ ପ୍ରଦାନ ଲାଗି ଘୋଷଣା କରାଯାଇଛି। ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚଦ୍ର ରାମଗୁଲାମ ମଙ୍ଗଳବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି। ମରିସସ୍‌ର ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ। ମରିସସ୍‌ର ସର୍ବୋଚ୍ଚ ସମ୍ମାନ ପ୍ରଦାନ ଲାଗି ରାମଗୁଲାମଙ୍କ ଘୋଷଣାକୁ ମୋଦୀ ସାଦର ଗ୍ରହଣ କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ ମୁଁ ସାଦର ଗ୍ରହଣ କରୁଛି। ଏହି ସମ୍ମାନ ଭାରତ ଓ ମରିସସ୍‌ର ସମ୍ପର୍କକୁ ଆହୁରି ନିବିଡ କରିବ।

ମରିସସ୍‌ ଗସ୍ତର ପ୍ରଥମ ଦିନରେ ମୋଦୀ ପାମ୍ପଲମୋସେସ୍‌ର ସାର୍ ସିୱସାଗର୍ ରାମଗୁଲାମ ବୋଟାନିକ୍ ଗାର୍ଡେନ୍‌ରେ ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍‌ର ପ୍ରଗତି ଏବଂ ଭାରତ-ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣରେ ଦୁଇ ନେତାଙ୍କ ଯୋଗଦାନକୁ ମନେ ପକାଇଥିଲେ। ଏହା ପୂର୍ବରୁ ମୋଦୀ ମରିସସ୍‌ର ରାଷ୍ଟ୍ରପତି ଧରମବୀର ଗୋକୁଳଙ୍କୁ ଓ ମରିସସ୍‌ର ପ୍ରଥମ ମହିଳା ବୃନ୍ଦା ଗୋକୁଳଙ୍କୁ ସାକ୍ଷାତ କରିଥିଲେ।

ସାକ୍ଷାତ କାଳରେ ମୋଦୀ ସେମାନଙ୍କୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ, ବିହାରର ମଖାନା ଓ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ଉପହାର ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗୋକୁଳ ଓ ପ୍ରଥମ ମହିଳା ବୃନ୍ଦାଙ୍କୁ ଓସିଆଇ କାର୍ଡ ପ୍ରଦାନ କରିଥିଲେ। ସେହିପରି ପ୍ରଥମ ମହିଳା ବୃନ୍ଦାଙ୍କୁ ବନାରସୀ ଶାଢି ଉପହାର ଦେଇଥିଲେ। ସାକ୍ଷାତ ପରେ ମୋଦୀଙ୍କୁ ରାଷ୍ଟ୍ରପତି ଗୋକୁଳ ରାଜଭବନରେ ରାଜକୀୟ ଭୋଜନରେ ଆପ୍ୟାୟିତ କରିଥିଲେ।

ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ମରିସସର ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତ ଗବଇ’ନାମକ ପାରମ୍ପାରିକ ବିହାରୀ ଗୀତ ମାଧ୍ୟମରେ ସ୍ବାଗତ ଜଣାଇଥିଲେ ।

Leave A Reply

Your email address will not be published.