ଫାଇନାଲ୍‌କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି

ଦିଲ୍ଲୀ: ଅଗଷ୍ଟ ୩: ଟୋକିଓ ଅଲମ୍ପିକ୍ସରେ ଆଜି ସକାଳ ୭ଟାରେ ଖେଳାଯାଇଥିବା ପୁରୁଷ ହକି ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଯାଇଛି । ଭାରତର ଫାଇନାଲରେ ଖେଳିବା ଆଶା ମଉଳିଯାଇଛି । ସେମିଫାଇନାଲ୍‌ ମ୍ୟାଚ୍‌ରେ ବେଲଜିୟମ୍‌ ସହ ଖେଳି ଭାରତୀୟ ଦଳ ୨-୫ ରେ ପରାସ୍ତ ହୋଇଛି । ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳି ଯାଇଥିଲେ ମଧ୍ୟ ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ଅନ୍ୟପକ୍ଷରେ ଅଗଷ୍ଟ ୫ ତାରିଖରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ଏକ ସେମିଫାଇନାଲ୍‌ ମ୍ୟାଚ ହେବ । ସେହି ମ୍ୟାଚ୍‌ରେ ଯେଉଁ ଟିମ୍‌ ପରାସ୍ତ ହେବେ ତା ସହିତ ବ୍ରୋଞ୍ଜ ପଦକ ପାଇଁ ଭାରତୀୟ ଦଳ ଲଢ଼େଇ କରିବ ।
ଆଜିର ମ୍ୟାଚ୍‌ରେ ବେଲଜିୟମ୍‌ର ଖେଳାଳୀ ଲୋଇକ୍‌ ଲୁପେର୍ଟ ପ୍ରଥମ ଗୋଲ୍‌ କରିଥିଲେ । ଏହାସହ ବେଲଜିୟମ୍‌ ୧-୦ରେ ଆଗୁଆ ରହିଥିଲା । ଏହାପରେ ସପ୍ତମ ମିନିଟ୍‌ରେ ସ୍ଥିତି ବରାବର କରିଥିଲା ଭାରତୀୟ ଦଳ । ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତୀୟ ଦଳକୁ ବରାବର ସ୍ଥାନକୁ ଆଣିଥିଲେ ମନଦୀପ ସିଂହ । ଏହାସହ ଭାରତ ପ୍ରଥମ କ୍ୱାର୍ଟର ୨-୧ରେ ଆଗୁଆ ରହିଥିଲା । ପରବର୍ତ୍ତୀ ସମୟରେ ବେଲଜିୟମ୍‌ ଭାରତକୁ ପରାସ୍ତ କରିଥିଲା ।
ଆଜି ଅନୁଷ୍ଠିତ ହୋଇଥିବା ଭାରତୀୟ ମହିଳା ରେସ୍‌ଲିଂ(୬୨ କେଜି ବର୍ଗ)ରେ ୧୯ ବର୍ଷିୟା ସୋନମ ମଲିକ ପରାସ୍ତ ହୋଇଛନ୍ତି । ସେ ସେମିଫାଇନାଲ୍‌ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । ଏସୀୟ ଚାମ୍ପିୟନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ମଙ୍ଗୋଲିଆର ଖେଳାଳୀ ବୋଲୋରତୁଆ ଖୁରେଲଖୁଙ୍କଠାରୁ ସୋନମ ୨-୨ରେ ପରାସ୍ତ ହୋଇଥିଲେ । ତେବେ ରେପେଚେଜ ରାଉଣ୍ଡରେ ସୋନମଙ୍କୁ ବ୍ରୋଞ୍ଜ ପଦକ ଜିତିବା ପାଇଁ ସୁଯୋଗ ମିଳିପାରେ ।

Comments are closed.