ଭୁବନେଶ୍ୱର: ଅଗଷ୍ଟ ୫: ପ୍ରାୟ ଚାରି ଦଶକର ଅପେକ୍ଷା ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ୍ସରେ ପଦକ ହାସଲ କରି ଇତିହାସ ରଚିଛି । ୧୯୮୦ ମସିହାରେ ହକି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରଠାରୁ ଭାରତ ହକିରେ ପଦକ ହାସଲ କରିପାରିନଥିଲା । ଭାରତୀୟ ହକି ଦଳ ଅଲମ୍ପିିକ୍ସରେ ପୂର୍ବରୁ ୮ ଥର ସ୍ୱର୍ଣ୍ଣ ପଦକ, ୨ ଥର ବ୍ରୋଞ୍ଜ ଏବଂ ଥରେ ରୌପ୍ୟ ପଦକ ଜିତି ସାରିଥିଲବେଳେ ଚଳିତ ବର୍ଷର ପଦକ ହେଉଛି ଭାରତର ତୃତୀୟ ବ୍ରୋଞ୍ଜ ପଦକ । ଟୋକିଓ ଅଲମ୍ପିକ୍ସରେ ଦଳର ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଆଜିର ଖେଳରେ ୫-୪ ଗୋଲ୍ରେ ଭାରତ ଜର୍ମାନୀକୁ ହରାଇଥିଲା । ଭାରତୀୟ ଖେଳାଳୀ ସିମରନଜୀତ ସିଂହ ୩୪ ମିନିଟରେ ଦୁଇଟି ଗୋଲ୍ କରିଥିଲାବେଳେ ହାର୍ଦ୍ଦିକ ସିଂହ ୨୭ ମିନିଟ, ହରମନ୍ପ୍ରୀତ ସିଂହ ୨୯ ମିନିଟ ଓ ରୁପିନ୍ଦର ପଲ୍ ୩୧ ମିନିଟରେ ଗୋଟିଏ ଲେଖାଁଏ ଗୋଲ୍ କରିଥିଲେ ।
ଖେଳ ଆରମ୍ଭରେ ହେବାର ଦ୍ୱିତୀୟ ମିନିଟରେ ପ୍ରଥମ ଗୋଲ୍ କରିଥିଲା ଜର୍ମାନ । ପରେ ଜର୍ମାନ ୪ଟି ପେନାଲ୍ଟି କର୍ଣ୍ଣର ମଧ୍ୟ ପାଇଥିଲା । ସେହିସବୁ ପେନାଲଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇପାରି ନଥିଲା ଜର୍ମାନ । ପ୍ରଥମ କ୍ୱାର୍ଟରରେ ଭାରତ ୦-୧ରେ ପଛୁଆ ରହିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ସିମରନଜୀତ୍ ସିଂହ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲେ । ଏହାପରେ ଦୁଇଟି ଦଳ ବରାବର ପୋଜିସନ୍କୁ ଆସିଯାଇଥିଲେ । ପରେ ଜର୍ମାନୀ ଦୁଇଟି ଗୋଲ୍ କରି ୩-୧ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଦୁଇ ମିନିଟ୍ ବ୍ୟବଧାନରେ ଭାରତ ଦୁଇଟି ଗୋଲ୍ ଦେବାରେ ସଫଳ ହୋଇଥିଲା । ହାର୍ଦ୍ଦିକ ଓ ହରମନ୍ପ୍ରୀତ ଏହି ଦୁଇଟି ଗୋଲ୍ କରିଥିଲେ । ଏହିପରି ଭାବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ୩-୩ରେ ଦଳ ରହିଥିଲା ।
ତୃତୀୟ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ କରିଥିଲା । କ୍ୱାର୍ଟର ଆରମ୍ଭରୁ ରୁପିନ୍ଦର ପଲ୍ ସିଂହ ଗୋଲ୍ କରିଥିଲେ । ସେ ଏକ ପେନାଲଫି ଷ୍ଟ୍ରୋକ୍କୁ ଗୋଲ୍ କରିଥିଲେ । ଏହାସହ ଦଳ ୪-୩ରେ ଆଗୁଆ ରହିଥିଲା । ଏହାର ପ୍ରାୟ ୩ ମିନିଟ ପରେ ସିମରନ୍ଜୀତ୍ ଆଉ ଏକ ଗୋଲ୍ କରିଥିଲା । ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିବା ସହ ଜର୍ମାନକୁ ପରାସ୍ତ କରିବାରେ ସଫଳ ହୋଇଥିଲା ।
Comments are closed.