ଭୁବନେଶ୍ୱର: ଅଗଷ୍ଟ ୧୦: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏନେଇ ଆଗକୁ ହେବାକୁ ଯାଉଥିବା ସାର୍ବଜନୀନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ କୋଭିଡକୁ ଦୃଷ୍ଟିରେ ରଖି କିଛି ଗାଇଡଲାଇନ ଜାରି ହୋଇଛି ।
ତେବେ ମଣ୍ଡପ ଓ ପେଣ୍ଡାଲରେ ପୂଜା କରିବା ନେଇ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡଲାଇନ୍ରେ ଦର୍ଶାଯାଇଛି । ଜିଲ୍ଲାଗୁଡ଼ିକରେ ପୂଜା ପାଇଁ ଜିଲ୍ଲାପାଳ ଓ ଟୁଇନ୍ ସିଟି(ଭୁବନେଶ୍ୱର ଓ କଟକ)ରେ ପୂଜା ଲାଗି ପୋଲିସ କମିଶନର ଅନୁମତି ନେବା ଆବଶ୍ୟକ । ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନ ବାରଣ କରାଯାଇଥିଲା ବେଳେ କୌଣସି ସାଜସଜ୍ଜା କରାହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଗାଇଡଲାଇନ୍ ଅନୁସାରେ ମଣ୍ଡପର ତିନି ପାଶ୍ୱର୍ ବନ୍ଦ ରହି ଗୋଟିଏ ପାଶ୍ୱର୍ ସାମାନ୍ୟ ଖୋଲା ରଖି ପୂଜାଅର୍ଚ୍ଚନା କରାଯିବ ।
ମଣ୍ଡପ ନିକଟକୁ ଦର୍ଶନାର୍ଥୀମାନେ ଯାଇ ଦର୍ଶନ କରିପାରିବେ ନାହିଁ ଓ ଠାକୁରଙ୍କ ମୂର୍ତ୍ତୀ ୪ ଫୁଟରୁ ଅଧିକ ହେବ ନାହିଁ । ମଣ୍ଡପରେ ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ମୋଟ୍ ୭ ଜଣ ଲୋକ ରହିପାରିବେ, ତାହାଠୁ ଅଧିକ ରହିବେ ନାହିଁ ।
ବିସର୍ଜନ ଶୋଭାଯାତ୍ରା ହେବ ନାହିଁ । ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ କୁହାଯାଇଛି ।
ସେହିପରି ମଣ୍ଡପ କମିଟି ପକ୍ଷରୁ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଯେପରି- ମେଲୋଡି, ସନ୍ଧ୍ୟା ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ପୂଜା ଅବସରରେ ଭୋଜି ଭାତ କରାଯିବ ନାହିଁ । ଅନ୍ୟପକ୍ଷେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଣେଶ ପୂଜା ଅନୁଷ୍ଠିତ କରିବାକୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନଙ୍କୁ କୁହାଯାଇଛି । ସେଠାରେ ମଧ୍ୟ କୋଭିଡ ଗାଇଡଲାଇନ୍ ଅନୁସାରେ ପୂଜା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
Comments are closed.