ମଧ୍ୟପ୍ରଦେଶରେ ଡ଼େଙ୍ଗୁର ଭୟ

ଭୋପାଳ: ସେପ୍‌ଟେମ୍ବର ୭: ମଧ୍ୟପ୍ରଦେଶରେ କରୋନା ମହାମାରୀ ପରେ ଏବେ ଡେଙ୍ଗୁର ଭୟ ଦେଖାଯାଇଛି । ରାଜ୍ୟରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶେଷ କରି ଭୋପାଳ, ଇନ୍ଦୋର, ଜବଲପୁର ଏବଂ ଗ୍ୱାଲିଅର ଭଳି ପ୍ରମୁଖ ସହରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଘରୋଇ ଓ ସରକାରୀ ମେଡିକାଲରେ ଡ଼େଙ୍ଗୁ ରେଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ କରାଯାଇଛି । ସୋମବାର ଭୋପାଳରୁ ୧୨ ଜଣ, ଇନ୍ଦୋରରୁ ୮ ଜଣ ଏବଂ ଗ୍ୱାଲିଅରରୁ ୧୬ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭୋପାଳରେ ଏବେ ମୋଟ୍‌ ୪୦ ଜଣ ଡ଼େଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଅଧିକାଂଶ ରୋଗୀ ସାକେତ ନଗର, ବାଗସେୱାନିଆ ଓ କୋଟରାରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ରାଜ୍ୟ ମୁ୍ୟନିସିପାଲଟି ନିୟମ ଅନୁସାରେ, ଘରେମାନଙ୍କରେ କିମ୍ବା ବଡ଼ ବଡ଼ ଆପାର୍ଟମେଣ୍ଟରେ ଡ଼େଙ୍ଗୁ ମଶାଙ୍କ ଲାର୍ଭା ମିଳିଲେ ମାଲିକମାନେ ଜୋରିମାନା ଆକାରରେ ୨୦୦ ରୁ ୫ ହଜାର ଟଙ୍କା ଯାଏଁ ଅର୍ଥରାଶି ଦେବ ବ୍ୟବସ୍ଥା ରହିଛି ।
ଇନ୍ଦୋରରେ ଏକ ବାଳକ ହଷ୍ଟେଲ ଏବଂ ଏମଜିଏମ ମେଡିକାଲ କଲେଜର ବାଳିକା ହଷ୍ଟେଲରୁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଇନ୍ଦୋରରେ ମୋଟ୍‌ ୮୬ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଳାଶୟ ଓ ଡ୍ରେନ୍‌ମାନଙ୍କରେ ଲାର୍ଭାନାଶକ ସ୍ପ୍ରେ ସିଞ୍ଚନ କରାଯାଉଛି । ଏହା ବ୍ୟତୀତ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Comments are closed.