ବିହାର: ସେପ୍ଟେମ୍ବର ୭: ସାଧାରଣତ ଘରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାଆନ୍ତି । ଗାଁ ଗହଳିରେ ପୂରା ପରିବାର ପାଇଁ ଚୁଲିରେ ରୋଷେଇ କରିବା ଏକ କଠିନ କାମ । ଚୁଲିରୁ ନିର୍ଗତ ଧୂଆଁରୁ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ସମସ୍ତେ ଚାହାନ୍ତି ଆଧୁନିକ ପ୍ରଣାଳୀରେ ରୋଷେଇ କରିବାକୁ, ହେଲେ ଏଥିପାଇଁ କେତେଜଣ ଆର୍ଥିକ ସ୍ତରରେ ସକ୍ଷମ ନଥାଆନ୍ତି । ଏହାର ସମାଧାନ ସ୍ୱରୂପ ବିହାରର ଏକ ଗ୍ରାମରେ ଅଭିନବ ଉପାୟ ବାହାରିଛି । ଗ୍ରାମର କିଛି ମହିଳା ଏକ ନୂତନ ଉପାୟରେ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ନାରା ରହିଛି ‘ଗୋବର ଦିଅ ଗ୍ୟାସ ସିଲିଣ୍ଡର ନିଅ’ । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଆର୍ପିଏୟୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିହାରର ଏକ ପଞ୍ଚାୟତରେ ବିଭିନ୍ନ ପ୍ରକାରର କୃଷିଭିତ୍ତିକ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରାଯାଇଥିଲା । ଏହି ପ୍ରକଳ୍ପ ଅଧୀନରେ ଗ୍ରାମର ଲୋକଙ୍କୁ ଘରେ ବ୍ୟବହୃତ ବିଭିନ୍ନ ଆବର୍ଜନାରୁ କିଭଳି ଖତ ପ୍ରସ୍ତୁତ ହୋଇପାରିବ ଏବଂ ଏହାର ବ୍ୟବହାର କିଭଳି ହୋଇପାରିବ ସେ ନେଇ ଟ୍ରେନିଂ ଦିଆଯାଇଥିଲା । ଏହି ଶିକ୍ଷାକୁ ବ୍ୟବହାର କରି କିଛି ମହିଳାଙ୍କୁ ନେଇ ଏକ ଗୋଷ୍ଠୀ କରାଯାଇଛି । ଯେଉଁମାନେ ଲୋକଙ୍କ ଠାରୁ ଗୋବର ଆଣିବେ ଏବଂ ଗୋବର ବଦଳରେ ସେମାନଙ୍କୁ ଏକ ସିଲିଣ୍ଡର ଗ୍ୟାସ ଦେବେ । ଏହା ସେଠିକାର ଲୋକଙ୍କ ପାଇଁ ବେଶ୍ ଲାଭ ଦାୟକ ହୋଇଥିଲା । କାରଣରରେ ଗାଁରେ ରନ୍ଧନ ଗ୍ୟାସ ଭରିବା ପାଇଁ ଲୋକଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହି ପ୍ରକଳ୍ପ କାରଣରୁ ସେହି ମହିଳାଙ୍କୁ ମଧ୍ୟ ରୋଜଗାର ମିଳିଥିଲା । ଲୋକଙ୍କଠାରୁ ଗୋବର ଓ ଆବର୍ଜନାକୁ ସଂଗ୍ରହ କରି ଏକ ସ୍ଥାନକୁ ଅଣାଯାଏ । ତେବେ ଏଥିରେ ପ୍ଲାଷ୍ଟିକ ଓ କାଚ ଆର୍ବଜନାକୁ ଦୂରରେ ରଖାଯାଇଥାଏ । ସମସ୍ତ ଆର୍ବଜନାକୁ ଏକାଠି କରାଯିବା ପରେ ଏହାର ପ୍ରୋସେସିଂ ଆରମ୍ଭ କରାଯାଇଥାଏ । ଆଜି ଯାଏଁ ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୧୫,୦୦୦ କେଜି ଆର୍ବଜନା ଓ ଗୋବର ସଂଗ୍ରହ କରାଯାଇଥିବା ବେଳେ ୪୪ଟି ସିଲିଣ୍ଡର ଦିଆସରିଛି । ଏହି ପ୍ରକଳ୍ପକୁ ଏଠିକାର ବାସିନ୍ଦା ମଧ୍ୟ ବେଶ୍ ସହଯୋଗ କରୁଛନ୍ତି ।
Comments are closed.