ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା

ଉତ୍ତରପ୍ରଦେଶ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ୟୁପିରେ ମହିଳା କାର୍ଡ ଖୋଲି ଦେଇଛି । ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଧାନସଭା ନିର୍ବାଚନକୁ ଜିତିବାକୁ ଚାହିଁଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ ବେଳେ ମହିଳାଙ୍କ ପାଇଁ ୪୦% ଆସନ ସଂରକ୍ଷିତ କରାଯିବ ବୋଲି ଆଜି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏପରି ଘୋଷଣା କରିଛନ୍ତି । କୌଣସି ପରିସ୍ଥିତିରେ ଦଳର ପୂର୍ବ ସ୍ଥିତିକୁ ସେ ଫେରାଇ ଆଣିବାକୁ ଚାହିଁଛନ୍ତି ।

ଏନେଇ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ଏହି କ୍ରମରେ ସେ ରାଜ୍ୟର ସମସ୍ତ ଜିଲ୍ଲାର ମହିଳା କର୍ମକର୍ତ୍ତାଙ୍କୁ ମଧ୍ୟ ସେ ଡ଼କାଇଥିଲେ । ଉକ୍ତ ସମ୍ମିଳନୀରେ ସେ କହିଥିଲେ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନେ ପୂର୍ଣ୍ଣମାତ୍ରାରେ ଭାଗନେବେ । ତେଣୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଦଳ ପକ୍ଷରୁ ମୋଟ ୪୦% ଟିକେଟ ମହିଳାଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ନିଷ୍ପତ୍ତି ହୋଇଛି । କଂଗ୍ରେସ ୟୁପିରେ ଯେତିକି ଆସନରେ ପ୍ରାର୍ଥୀ ଦେବ, ତା’ର ୪୦% ସିଟ୍‌ରେ ମହିଳାମାନେ ଲଢ଼େଇ କରିବେ ।

ସୂଚନା ଥାଉଯେ, ୟପିରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୪.୬୧ କୋଟି ହେବ । ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ପ୍ରାୟ ୭.୯୦ ଲକ୍ଷ ରହିଥିଲା ବେଳେ ମହିଳାଙ୍କ ସଂଖ୍ୟା ୬.୭୦ ଲକ୍ଷ ରହିଛି । ଏଣୁ ମହିଳା ଭୋଟରମାନଙ୍କୁ ଆକର୍ଷିତ କରିପାରିଲେ କଂଗ୍ରେସ ଆଗେଇବ ବୋଲି ପ୍ରିୟଙ୍କା ଆଶାବ୍ୟକ୍ତ କରିଛନ୍ତି ।

Comments are closed.