କୋକସରା: ଅକ୍ଟୋବର ୨୨ : ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ପାଇଁ ପ୍ରଭୂ ବୁଢ଼ାରଜାଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହିପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୩ ତାରିଖ ଶନିବାର କଳାହାଣ୍ଡି ଜିଲ୍ଲାର ଶେଷ ଦଶହରା କୋକସରା ବ୍ଲକ ଆମପାଣି ଘାଟି ତଳେ କେଉଁ ଏକ ଆବାହନମାନ କାଳରୁ ପୂଜିତ ଜନ ମାନସ ଓ ଆଦିବାସୀଙ୍କ ଆରାଧ୍ୟ ଦେବ ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ପାଳନ ହେବ ।

ତେବେ ଏହି ଦଶହରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା କାରଣରୁ ସୁରକ୍ଷା ଓ କୋଭିଡ ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ବିନା ଭକ୍ତରେ ବିଧି ରକ୍ଷା ପାଇଁ ଦଶରା ପାଳନ ହେବ । ଏ ନେଇ ଧର୍ମଗଡ଼ ସ୍ଥିତ କୋକସରା ତହସିଲ କାର୍ଯ୍ୟାଳୟରେ ଏକ ଆଲୋଚନା ବୈଠକ ବସିଯାଛି । ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ପି. ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ କୋକସରା ତହସିଲଦାର ମନୋଜ କୁମାର ପାଢୀ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ସମେତ ବୁଢ଼ାରଜା ପୂଜା କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ । ନିରାଡ଼ମ୍ବର ଓ ବିନା ଭକ୍ତରେ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂଜା କମିଟି ପକ୍ଷରୁ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀ, ଫକିର ମୋହନ ପୁଝାରି, ଋତୁରାଜ ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବୁଢ଼ାରଜା ବାର୍ଷିକ ଦଶହରାରେ ମନ୍ଦିର ପରିସରରୁ ୫୦୦ ମିଟର ମଧ୍ୟରେ ୧୪୪ ଧାରା ଜାରି କରାଯିବ । ଆଇନ ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି ।
Comments are closed.