ସାଉଥ୍ କୋରିଆନ୍ ସିରିଜ୍ ‘ ସ୍କ୍ୱିଡ୍ ଗେମ’ ଏବେ ସମଗ୍ର ଦୁନିଆରେ ଲୋକପ୍ରିୟ ସିରିଜ୍ ପାଲଟିଛି । ନେଟ୍ଫ୍ଲିକ୍ସରେ ରିଲିଜ୍ ସ୍କ୍ୱିଡ୍ ଗେମ୍ ଗତ କିଛି ଦିନ ଧରି ଟ୍ରେଣ୍ଡ୍ରେ ରହିଛି । ତେବେ ଏହି ସିରିଜ୍ରେ ୬ଟି ଖେଳକୁ ଦେଖାଯାଇଛି ।
ଏଥିସହ ଏଥିରେ ମାନବ ଶରୀରର ଅଙ୍ଗ ଚୋରାଚାଲାଣକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ହେଲେ ଚୀନରେ ବାସ୍ତବରେ ଏପରି ସ୍କିଡ୍ ଗେମ୍ ଚାଲୁଛି ଏବଂ ଅଙ୍ଗ ପାଇଁ ମନୁଷ୍ୟଙ୍କୁ ହତ୍ୟା କରାଯାଉଥିବା ଜଣେ ଡାକ୍ତର ଦାବି କରିଛନ୍ତି । ବିଶ୍ୱର ଜଣେ ଜଣାଶୁଣା ଅଙ୍ଗ ପ୍ରତିରୋପଣକାରୀ ଡାକ୍ତର ପ୍ରଫେସର ରସେଲ୍ ଷ୍ଟ୍ରଙ୍ଗ୍ ଏସି ସମଗ୍ର ବିଶ୍ୱରେ ଥିବା ହସ୍ପିଟାଲ ଏବଂ ବିଶ୍ୱବିଦ୍ୟାଳୟକୁ ଚେତାବନୀ ଦେଇ କହିଛନ୍ତି ଯେ, ଚୀନର ଡାକ୍ତରମାନଙ୍କୁ ନିଷିଦ୍ଧ କରିବା ଉଚିତ୍ ।

ସେ ଦାବି କରିଛନ୍ତି ଯେ ଏହି ଡାକ୍ତରମାନେ ରିଅଲ୍ ଲାଇଫ୍ ସ୍କ୍ୱିଡ୍ ଗେମ୍ରେ ଭାଗ ନେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଚୀନ ଡାକ୍ତରମାନେ ପାଶ୍ଚାତ୍ୟ ଦେଶରେ ତାଲିମ ନେବା ପରେ ନିଜ ଦେଶକୁ ଯାଇ ମନୁଷ୍ୟ ଅଙ୍ଗ ଚୋରାଚାଲାଣର କାର୍ଯ୍ୟ କରନ୍ତି । ଅର୍ଥାତ ସେମାନେ ଲୋକଙ୍କ ଶରୀରକୁ କାଟି ଅଙ୍ଗ ବାହାର କରନ୍ତି, ଯାହା ପରେ ଏହି ଅଙ୍ଗ ସବୁ ବିକ୍ରି ହୋଇଥାଏ ।

ସ୍କ୍ୱିଡ୍ ଗେମ୍ ସିରିଜ୍ରେ ଦେଖିବାକୁ ମିଳିଛି ଯେ ଲୋକମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଖେଳ ଖେଳାଯାଉଛି, ଜିତିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ଖେଳ ପାଇଁ ଅନୁମତି ଦିଆଯାଉଛି ଏବଂ ହାରିଥିବା ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଉଛି । ଏହି ମୃତ ବ୍ୟକ୍ତିଙ୍କର ଯକୃତ, କିଡନୀ ଏବଂ ହୃତପିଣ୍ଡ୍ ପରି ଅଙ୍ଗକୁ ବାହାର କରି ବିକ୍ରି ପାଇଁ ପଠାଯାଉଛି । ତେବେ ଏପରି ଅନେକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଚୀନରେ ଏହି ସବୁ ବାସ୍ତବରେ ଘଟୁଛି ବୋଲି ଦାବି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଚୀନର ସରକାର ‘କିଲ୍ ଟୁ ଅର୍ଡର’ କାର୍ଯ୍ୟକ୍ରମରେ ଅଙ୍ଗ ଚୋରାଚାଲାଣର ଏକ ନେଟୱାର୍କ ଚଲାଉଛନ୍ତି, ଯାହା ଅଧୀନରେ ଚୀନର ରାଜନୈତିକ ବନ୍ଦୀ ତଥା ସରକାର ବିରୋଧୀ ଲୋକଙ୍କୁ ଟାର୍ଗେଟ କରାଯାଉଛି । କୁହାଯାଉଛି ଯେ, ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ସହ ଏପରି ହୋଇଥାଏ । ୮୪ ବର୍ଷୀୟ ଡାକ୍ତର ରସେଲ କହିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ୧୯୮୦ ଦଶକର ଶେଷ ଭାଗରେ ଚୀନରେ ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଜାଣିବାକୁ ପାଇଥିଲେ । ୧୯୮୫ରେ ସେ ଅଷ୍ଟ୍ରେଲିଆର ପ୍ରଥମ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କରିଥିଲେ । ତାପରେ ସେ ଚୀନର ଡାକ୍ତରୀ ପ୍ରଶିକ୍ଷକଙ୍କଠାରୁ ବହୁ ଅନୁରୋଧ ପାଇଥିଲେ । କିନ୍ତୁ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ । ସଂସ୍ଥା ପକ୍ଷରୁ କୌଣସି ଦସ୍ତାବିଜ ନପାଇବାରୁ ସେ ମନା କରିଦେଇଥିବା ପ୍ରଫେସର ରସେଲ କହିଛନ୍ତି ।

ଜାତିସଂଘର ରିପୋର୍ଟ ଅନୁଯାୟୀ, ଚୀନର କମୁ୍ୟନିଷ୍ଟ ପାର୍ଟି ମୁଖ୍ୟତଃ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଟାର୍ଗେଟ କରିଥାଏ । ଚୀନ ଲୋକମାନଙ୍କର ଅଙ୍ଗ ବିକ୍ରି କରି ପ୍ରତିବର୍ଷ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ରୋଜଗାର କରିଥାଏ । ସେହିପରି ମାନବାଧିକାର ସଂଗଠନଙ୍କ କହିବା ଅନୁଯାୟୀ, ଚୀନ ପ୍ରତିବର୍ଷ ୬୦ ହଜାରରୁ ୧ ଲକ୍ଷ ଲୋକଙ୍କୁ (ସ୍କ୍ୱିଡ୍ ଗେମ ଜରିଆରେ)ହତ୍ୟା କରିଥାଏ, ତେବେ ଚୀନ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।
Comments are closed.