ନିର୍ବାଚନ ଲଢିବାକୁ ପରିଣତ ବୟସ ନୁହେଁ ବାଧକ

ଦେଶରେ ପଞ୍ଚାୟତ ନିର୍ବାଚନ ଉଷ୍ମତା ବଢିବାରେ ଲାଗିଛି। ପ୍ରତ୍ୟେକ ଲୋକ ଓ ବିଶେଷ କରି ପ୍ରାର୍ଥୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଚଳିତ ଥରର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ କ୍ଷେତ୍ରରୁ ପ୍ରାର୍ଥୀ ନିଜକୁ ରାଜନୀତିରେ ସାମିଲ କରାଇବାପାଇଁ ଇଚ୍ଛା ପ୍ରକାଶ କରୁଥିବା ନଜରକୁ ଆସିଛି। ସେ ସାଧାରଣତଃ ଯୁବ ଗୋଷ୍ଠୀ ହୁଅନ୍ତୁ ଅବା ପଢୁଆ ଗୋଷ୍ଠୀ ସମସ୍ତେ ରାଜନୈତିକ ତରାଜୁରେ ନିଜର ଭାଗ୍ୟ ପରଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଗୋଟିଏ ପଟେ ପାଠୁଆ ଯୁବଗୋଷ୍ଠୀଙ୍କୁ ନିଜ ବିପକ୍ଷ ମଇଦାନରେ ଦେଖି ସାମାନ୍ୟ ମଧ୍ୟ ଡରିନାହାନ୍ତି ପ୍ରୌଢ ଗୋଷ୍ଠୀ। ଆଜିବି ନିଜ ମନର ଅଦମ୍ୟ ସାହସ ଓ ରାଜନୀତିର ପୁରୁଣା ଅନୁଭବକୁ ନେଇ ଅଣ୍ଟା ଭିଡିଛନ୍ତି ଏମାନେ। ଯେଉଁମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ତେବେ ଜାଣିବା ସେମାନଙ୍କ ମଧ୍ୟରୁ କିଛି ନିଆରା ପ୍ରାର୍ଥୀଙ୍କ ବିଷୟରେ।

୭୧ ବର୍ଷିୟ କାଳନ୍ଦି ଚରଣ: ୭୧ ବର୍ଷ ବୟରେ କଟକ ଜିଲ୍ଲା ରଘୁନାଥପୁର ପୂରୁଣାବସନ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କାଳନ୍ଦି ଚରଣ ମହାନ୍ତି। ଆଉ ସବୁଠାରୁ ବଡ କଥା ହେଉଛି ଯେ ତାଙ୍କର ଡାହାଣ ପଟ କିଡନୀ ନାହିଁ। ପରିଣତ ବୟସରେ ସେ ସାଇକେଲ ଚଢି ଘରକୁ ଘର ବୁଲି କ୍ୟାମ୍ପନିଂ କରୁଛନ୍ତି। ସେ ୧୯୮୪-୮୯ ମସିହାରେ ପୁରୁଣାବସନ୍ତ ପଞ୍ଚାୟତରେ ଦକ୍ଷତାର ସହିତ ସରପଞ୍ଚ ପଦବୀ ସମ୍ଭାଳିଥିଲେ। ୨୦୧୨-୧୭ ମଧ୍ୟ ନିଜ ପନିୀଙ୍କୁ ସରପଞ୍ଚ ଭାବରେ ନିର୍ବାଚିତ କରାଇଥିଲେ। ତେବେ ଚଳିତ ନିର୍ବାଚନରେ କାଳନ୍ଦୀଙ୍କ ବିପକ୍ଷରେ ଆହୁରି ୬ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତେବେ ଏହା ସତ୍ତେ୍ୱ ମଧ୍ୟ ସେ ପୁରା ସାହସର ସହିତ ମଇଦାନକୁ ଓହ୍ଲାଇ ଜିତିବାର ଆଶା ରଖିଛନ୍ତି।

ବୟୋଜ୍ୟେଷ୍ଠ ସରପଞ୍ଚ ପ୍ରାର୍ଥୀ ଜପହରି: ୭୬ ବର୍ଷ ବୟସରେ ମାଛ ଚିହ୍ନରେ ଲଢୁଛନ୍ତି ଜପହରି । ପଞ୍ଚାୟତର ବିଭିନ୍ନ ସ୍ଥାନରେ ନିଜେ ସାଇକେଲ ଚଢି ପୋଷ୍ଟର ମାରିବା ସହିତ ଭୋଟ ମାଗୁଛନ୍ତି ଜପହରି। ସେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ମିଶି ଅନେକ କାମ କରିଛନ୍ତି। ଏଣୁ ନିଜର କାର୍ଯ୍ୟଦକ୍ଷତାକୁ ନଜରରେ ରଖି ଲୋକ ଠିକ୍‌ ଲୋକଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି।

୨୦ ବର୍ଷ ପରେ ପୁଣି ମଇଦାନରେ: ପଞ୍ଚାୟତର ଯୁବ ନେତାଙ୍କ ଭିତରେ ବାରି ହୋଇ ପଡୁଛନ୍ତି କଟକ ସାଲେପୁର ବାଲିସାହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉତ୍ସବ ଚନ୍ଦ୍ର ବେହେରା। ୭୦ ବର୍ଷର ସ୍ୱାଧିନ ପ୍ରାର୍ଥୀ ଉତ୍ସବ ପେଶାରେ ଜଣେ ଚାଷୀ। ସେ ୨୦୦୨-୩ରେ ବାଲିସାହିର ପ୍ରଥମ ସରପଞ୍ଚ ପ୍ରାର୍ଥୀ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଦୀର୍ଘ ୨୦ ବର୍ଷ ପରେ ପୁଣି ନିର୍ବାଚନ ଲଢିବାକୁ ଯାଉଥିବାରୁ ବେଶ୍‌ ଖୁସି ହେବା ସହ ନିର୍ବାଚନ ଜିତିବାର ଆଶା ରଖିଛନ୍ତି।

୭୩ ବର୍ଷ ବୟସରେ ଜିଲ୍ଲା ପରିଷଦ ପ୍ରାର୍ଥୀ: ଚଳିତ ପଞ୍ଚାୟତ ନିର୍ବାଚନରେ ଯେତିକି ଯୁବ ଚେହେରାଙ୍କୁ ଦେଖିବାକୁ ମିଳିଛି, ସେ କ୍ଷେତ୍ରରେ ପ୍ରୌଢ ବୟସ୍କ ମାନଙ୍କର ତାଲିକା ବି କିଛି କମ୍‌ ନାହିଁ। ତେବେ ଏପରି ତାଲିକାରେ ଆଉ ଦୁଇ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି । ସେମାନେ ହେଲେ କେନ୍ଦୁଝର ସଦର ବ୍ଲକ୍‌ ୫ ନଂ ଜିଲ୍ଲା ପରିଷଦ ଜୋନ୍‌ ର ସମରା ଟୁଡୁ। ସେହିପରି କେନ୍ଦୁଝର ସାହାରପଡା ୨୯ନଂ ଜୋନ୍‌ ର ଗୌତମ ବିଶୋଇ ବହୁଜନ ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଅବସର ପ୍ରାପ୍ତ ସ୍କୁଲ ଏସଆଇ: ଖଲିକୋଟର ଲଙ୍ଗଳେଶ୍ୱର ପଞ୍ଚାୟତ ଭେଜିପୁଟ ଗ୍ରାମର ଅବସର ପ୍ରପ୍ତ ସ୍କୁଲ୍‌ ଏସଆଇ ପଦ୍ମଚରଣ ସାହୁ ୨୦୨୨ରେ ୨୨ଟି ପ୍ରତିଶୃତି ସହିତ ଟେମ୍ପଲେଟ ଧରି ମଇଦାନକୁ ଓହ୍ଲାଇଛନ୍ତି । ୭୪ ବର୍ଷ ବୟସରେ ସେ ମଇଦାନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ସେ ନିଜେ ଏବଂ ସେଠାକାର ଲେକ ବେଶ୍‌ ଖୁସିଥିବା କୁହାଯାଉଛି।

ତେବେ ଏହି ନିର୍ବାଚନୀ ପ୍ରଚାରରେ ଖାଲି ଏତିକି ନୁହେଁ ବରଂ ଏପରି ଅନେକ ନଜିର ରହିଛି। ଯେଉଁଠାରେ ନିର୍ବାଚନ ଲଢିବାକୁ ବୟସ ମାନିଛି ହାର। ପରିଣତ ବୟସରେ ମଧ୍ୟ ନିଜର ଆତ୍ମବିଶ୍ୱାସ ଓ କଠୋର ମନୋବଳକୁ ନେଇ ଆଗକୁ ମାଡି ଚାଲିଛନ୍ତି ଏମାନେ।

Comments are closed.