ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଗତ ଦୁଇ ଦିନର ଗଣତିରେ ବିଜେଡ଼ି ଆଶ୍ଚର୍ଯ୍ୟ ଜନକ ଭାବେ ଜିଲ୍ଲା ପରିଷଦ ଫଳାଫଳ କରୁଛି । ଗଣତିର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ବିଜେଡିର ବିଜୟ ଧାରା ଜାରି ରହିଛି । ରବିବାର ଦ୍ୱିତୀୟ ଦିନ ବ୍ଲକ୍ ଗୁଡ଼ିକର ଜୋନ୍-୨ ଆସନରେ ଗଣତି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆସନରେ ଗଣତି ଚାଲିଥିବାବେଳେ ୧୫ଟିରେ ବିଜେଡି, ଗୋଟିଏରେ ବିଜେପି ଓ ଗୋଟିଏରେ କଂଗ୍ରେସ ଆଗୁଆ ରହିଛି ।
ସମ୍ବଲପୁର ଜିଲ୍ଲାରେ ୯ଟି ଆସନରେ ଗଣତି ଚାଲିଥିବାବେଳେ ୭ଟିରେ ବିଜେଡି, ୨ଟିରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି । ବରଗଡ଼ ଜିଲ୍ଲାରେ ଜୋନ୍-୨ର ଗୋଟିଏ ଆସନ (ଅମ୍ବାଭନା ଜୋନ୍-୨) ରେ ବିଜେଡି ପ୍ରାର୍ଥୀ ପୂର୍ବରୁ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ରବିବାର ଗଣତି ହେଉଥିବା ବାକି ୧୧ଟି ଜୋନ୍-୨ ଆସନ ମଧ୍ୟରୁ ରବିବାର ଦିନ ୨ଟା ସୁଦ୍ଧା ବିଜେଡି ୮ ଓ ବିଜେପି ୩ଟିରେ ଆଗୁଆ ରହିଛନ୍ତି । ଦେବଗଡ଼ ଜିଲ୍ଲାରେ ରବିବାର ଗଣତି ଚାଲିଥିବା ୩ଟି ଯାକ ଜୋନରେ ବିଜେଡି ପୁଣି ଆଗୁଆ ରହିଛି ।
ଝାରସୁଗୁଡ଼ା ଜିଲ୍ଲାରେ ବି ଗଣତି ଚାଲିଥିବା ୩ଟି ଆସନରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ରବିବାର ଦିନ ୨ଟା ସୁଦ୍ଧା ମିଳିଥିବା ସୂଚନାରୁ ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ଆସନର ଗଣତି ଚାଲିଥିବାବେଳେ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୫ଜୋନରେ ବିଜେଡି ଆଗୁଆ ରହିଛି ।
ବୌଦ୍ଧ ଜିଲ୍ଲାରେ ଗଣତି ଚାଲିଥିବା ୩ଟି ଆସନ ମଧ୍ୟରୁ ୨ଟିରେ ବିଜେଡି ଆଗୁଆ ଥିଲାବେଳେ ଗୋଟିଏରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି ।
ବଲାଙ୍ଗିର ଜିଲ୍ଲାରେ ଦ୍ୱିତୀୟ ଦିନରେ ୧୪ଟି ଆସନରେ ଗଣତି ଚାଲିଛି । ସେଥିରୁ ୧୦ଟିରେ ବିଜେଡି, ୨ଟିରେ କଂଗ୍ରେସ୍ ଓ ୨ଟିରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । କଳାହାଣ୍ଡି ଜିଲ୍ଲାରେ ୧୩ଟି ଆସନରେ ଗଣତି ଚାଲିଥିବାବେଳେ ୧୧ଟିରେ ବିଜେଡି ଆଗୁଆ ଅଛି । ଗୋଟିଏରେ ବିଜେପି ଓ ଗୋଟିଏରେ କଂଗ୍ରେସ୍ ପ୍ରାର୍ଥୀ ଆଗରେ ଅଛନ୍ତି ।
ନୂଆପଡ଼ା ଜିଲ୍ଲାରେ ଗଣତି ଚାଲିଥିବା ୫ଟି ଆସନ ମଧ୍ୟରୁ ୪ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ୍ ଆଗରେ ରହିଛି । ଏଥର ପଶ୍ଚିମ ଓଡ଼ିଶା ସମସ୍ତ ୧୦ ଜିଲା ଶାସକ ବିଜେଡ଼ିର ଗଡ଼ ପାଲଟିଯିବ ବୋଲି ପ୍ରାୟ ସୁନିଶ୍ଚିତ ହେବାକୁ ଯାଉଛି । ଚଳିତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦ଟି ଯାକ ଜିଲ୍ଲାରୁ ବିଜେଡିର ଅବିଶ୍ୱସନୀୟ ସଫଳତା ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଛି ।
ଗତ ପଞ୍ଚାୟତ ନିର୍ବାଚନରେ ୧୦ରୁ ୬ଟି ଜିଲ୍ଲାରେ ପରିଷଦ ଗଢ଼ିଥିବା ତଥା ଗତ ସାଧାରଣ ନିର୍ବାଚନରେ ୫ ସାଂସଦ ଜିତିଥିବା ବିଜେପି ଏଥର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ଜିତି ସମ୍ମାନ ରକ୍ଷା କରିବା ବି କଷ୍ଟକର ହୋଇ ପଡ଼ିଛି । ଅନେକ ଜିଲ୍ଲା ବିରୋଧୀ ଶୂନ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଗଣତନ୍ତ୍ରର ଏହି ଏକତରଫା ରାୟ ବର୍ତ୍ତମାନ ବୁଦ୍ଧିଜୀବୀଙ୍କ ପାଇଁ ବିଚାରର ବିଷୟ ପାଲଟିଛି । ପ୍ରଥମ ଦିନ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ମୋଟ ୮୭ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଓ ଫଇସଲା ହୋଇଥିଲା । ସେଥିରୁ ବିଜେଡି ୭୭, ବିଜେପି ୭, କଂଗ୍ରେସ୍ ୨ ଓ ସିପିଆଇଏମ୍ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି ।
ସମ୍ବଲପୁର ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୯ରୁ ୯ଟା ଯାକ ଆସନ ବିଜେଡି ଜିତିଛି । ବରଗଡ଼ ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୧୨ ଆସନ ମଧ୍ୟରୁ ବିଜେଡି ୧୦ ଓ ବିଜେପି ୨ ଆସନ ଜିତିଛନ୍ତି । ଦେବଗଡ଼ ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୩ଟି ଓ ଝାରସୁଗୁଡ଼ା ଜିଲ୍ଲାରେ ଗଣତି ହୋଇଥିବା ୫ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଦିନ ଫଇସଲା ହୋଇଥିବା ୬ ଆସନରୁ ବିଜେଡି ୪, ବିଜେପି ଓ କଂଗ୍ରେସ୍ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି । ବୌଦ୍ଧ ଜିଲ୍ଲାରେ ପ୍ରଥମ ଦିନ ୨ଟି ଆସନ ବିଜେଡି ଓ ଗୋଟିଏ ବିଜେପି ଖାତାକୁ ଯାଇଛି । ବଲାଙ୍ଗିର ଜିଲ୍ଲାରେ ଶନିବାର ୧୪ଟି ଆସନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୧୨ଟି, ବିଜେପି ଓ କଂଗ୍ରେସ୍ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଦିନ ଘୋଷଣା ହୋଇଥିବା ୧୭ ଆସନ ମଧ୍ୟରୁ ୧୬ଟିରେ ବିଜେଡି ଓ ଗୋଟିଏରେ ସିପିଆଇଏମ୍ ବିଜୟୀ ହୋଇଛିି । କଳାହାଣ୍ଡି ଜିଲ୍ଲାରେ ଶନିବାର ୧୩ଟି ଆସନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୧୧ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରେ ପ୍ରଥମ ଦିନ ୫ଟି ଆସନରେ ଗଣତି ହୋଇଥିଲାବେଳେ ବିଜେଡି ସବୁ ଆସନରେ ଜିତିଛି ।
ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ମଧ୍ୟରୁ ୬ ଜିଲ୍ଲାରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିଥିଲା । ସେହିପରି ବିଜେଡ଼ି ୨ ଟି ଜିଲ୍ଲା ପରିଷଦ ନୂଆପଡ଼ା ଓ ବୌଦ୍ଧ ଜିଲ୍ଲା ପରିଷଦ ଜୋନ ଦଖଲ କରିଥିବା ବେଳେ ସୁନ୍ଦରଗଡ଼ କଂଗ୍ରେସ ଓ ସିପିଆଇ ସହାୟତାରେ ଜିଲ୍ଲା ପରିଷଦ ଗଠନ କରିଥିଲା । କିନ୍ତୁ ଚଳିତ ନିର୍ବାଚନରେ ସମସ୍ତ ୧୦ ଜିଲ୍ଲାରେ ବିଜେଡ଼ି ଏକା ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଚଳାଇବା ନେଇ ସୁନିଶ୍ଚିତ ହେବାରେ ଲାଗିଛି ।
Comments are closed.