ନୂଆଦିଲ୍ଲୀ: ମାର୍ଚ୍ଚ ୨୨: ପୂର୍ବରୁ ଭାରତ ବହୁ ଐତିହ ଓ ବିତ୍ତଶାଳୀ ରାଷ୍ଟ୍ର ଥିଲା । ତେବେ କାଳକ୍ରମେ ଯତ୍ନ ଅଭାବ ଓ ଇଂରେଜମାନଙ୍କ ଶାସନ ପାଇଁ ଆମ ଦେଶ ଅନେକ ସବୁ ସହିଛି । ଖାଲି ମାନସିକ ସ୍ତରରେ ନୁହେଁ ବରଂ ଅର୍ଥନୈତିକ ସ୍ତରରେ ମଧ୍ୟ ବହୁ କ୍ଷତି ସହିଛି ଭାରତ । ଆମ ଦେଶର ଅନେକ ସୁନ୍ଦର କାରୁକଳା, ମଣି ଓ ମୟୂର ସିଂହାସନ ଇତ୍ୟାଦି ଲୁଟି ନେଇଛନ୍ତି ବିଦେଶୀ । ତେବେ ଏହି କିଛିଦିନ ପୂର୍ବରୁ ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା । ଯାହାକୁ ଉଦ୍ଧାର କରି ଭାରତକୁ ହସ୍ତାନ୍ତର କରିଛନ୍ତି ଅଷ୍ଟ୍ରେଲିଆ ସରକାର । ପ୍ରଧାନମନ୍ତ୍ରୀ ମୋଦି ଏହିସବୁ ପ୍ରାଚୀନ ସାମଗ୍ରୀକୁ ନିଜେ ପରଖିଥିଲେ । ଏଥିସହ ସେ ଦେଶବାସୀଙ୍କ ପକ୍ଷରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ଙ୍କୁ ଭିଡିଓ କନ୍ଫରେନ୍ସ ଯୋଗେ ଆଲୋଚନା ବେଳେ ଧନ୍ୟବାଦ ଜଣାଇଛନ୍ତି ।ସ୍ୟାଣ୍ତଷ୍ଟୋନ୍, ମାର୍ବଲ୍, କଂସା, ପିତ୍ତଳ ଓ କାଗଜର ଏହି ୨୯ଟି ପ୍ରାଚୀନ କିର୍ତ୍ତୀରାଜିରେ ଶିବ, ଶକ୍ତି ଓ ବିଷ୍ଣୁ ମୂର୍ତ୍ତି, ଜୈନ ପରମ୍ପରା, ସାଜସଜ୍ଜା ସାମଗ୍ରୀ ଆଦି ରହିଛି । ଏସବୁ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରୁ ବେଆଇନ ଭାବେ ଦେଶ ବାହାରକୁ ଚାଲାଣ କରାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ଙ୍କ ସହ ଆଲୋଚନା ଦ୍ୱାରା ଭାରତ-ଅଷ୍ଟ୍ରେଲିଆ ସଂପର୍କର ନିୟମିତ ସମୀକ୍ଷା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ ହେବ ।
Comments are closed.