ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଲଗାତାର ଭାବେ ହ ୍ରାସ ପାଉଛି । ଦୈନିକ ସଂକ୍ରମଣ ହ ୍ରାସ ପାଇବା ସହ ଚିକିତ୍ସାଧୀନ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବି କମୁଛି । ମଙ୍ଗଳବାର ପୂରା ପଶ୍ଚିମ ଓଡ଼ିଶାରେ ମାତ୍ର ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ରହିଥିବା ବେଳେ ସମ୍ବଲପୁରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ ଓ ବରଗଡ଼ରୁ ମଙ୍ଗଳବାର ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଯାହା ପଶ୍ଚିମ ଓଡ଼ିଶାବାସୀ ଓ ପ୍ରଶାସନକୁ ଆଶ୍ୱସ୍ତୀ ଦେଇଛି ।
କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ରହିଥିବା ବେଳେ କଳାହାଣ୍ଡି ପ୍ରଥମ ଜିଲ୍ଲା ଭାବେ ସଂକ୍ରମଣ ଶୂନ୍ୟ ହୋଇଛି । ସୁନ୍ଦରଗଡ଼ରେ ସର୍ବାଧିକ ୪୦ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ସମ୍ବଲପୁରରେ ୨୭ ଜଣ, ବଲାଙ୍ଗୀରରେ ୨୩ ଜଣ, ବୌଦ୍ଧରେ ୨୬ ଜଣ, ବରଗଡ଼ରେ ୧୦ ଜଣ, ସୁବର୍ଣ୍ଣପୁରରେ ୭ ଜଣ, ଦେବଗଡ଼ରେ ୫ ଜଣ ଏବଂ ଝାରସୁଗୁଡ଼ା ଓ ନୂଆପଡ଼ାରେ ୨ ଜଣ ଲେଖାଏଁ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପଟେ ସୋମବାର ଦିନ ସମ୍ବଲପୁରରେ ପଶ୍ଚିମ ଓଡ଼ିଶାର ସର୍ବାଧିକ ତଥା ଓଡ଼ିଶାର ଦ୍ୱିତୀୟ ସର୍ବାଧିକ କୋଭିଡ୍ ଟେଷ୍ଟ କରାଯାଇଥିଲା । ସମ୍ବଲପୁରରେ ୨୩୧୩ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ କଳାହାଣ୍ଡିରେ ୧୫୯୭, ସୁନ୍ଦରଗଡ଼ରେ ୧୫୪୪, ବରଗଡ଼ରେ ୧୧୪୬, ବଲାଙ୍ଗୀରରେ ୧୦୦୯, ଝାରସୁଗୁଡ଼ାରେ ୭୮୪, ନୂଆପଡ଼ାରେ ୭୮୩, ଦେବଗଡ଼ରେ ୭୧୬, ବୌଦ୍ଧରେ ୬୫୬ ଓ ସୁବର୍ଣ୍ଣପୁରରେ ୩୧୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ।
Comments are closed.