କିବ୍: ଋଷର ଅମାନବୀୟ ମନୋଭାବକୁ ଜାତିସଂଘରେ ତୀବ୍ର ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ଋଷ୍ ସେନାର ବର୍ବରତାରେ ବିଶ୍ୱ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା ଅଧିକ ବର୍ବରତାର ପ୍ରମାଣ ଦେବ। ରୁଷ୍ର ଏଭଳି ବ୍ୟବହାର ପାଇଁ ତୁରନ୍ତ ଏହାକୁ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର କରିବା ପାଇଁ ଜେଲେନସ୍କି ଦାବି କରିଛନ୍ତି। ରୁଷ୍ ବିରୋଧରେ ବିଶ୍ୱବାସୀ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଛନ୍ତି। ଋଷର ଯୁଦ୍ଧ ଅପରାଧ କୌଣସି ଆତଙ୍କବାଦୀ ସଂଗଠନର ବର୍ବରତାଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି। ଯଦି ଅନ୍ତର୍ଜାତୀୟ ଆଇନର କିଛି ମୂଲ୍ୟ ନାହିଁ ତେବେ ଜାତିସଂଘ ଆଉ କାହିଁକି ରହିବ ବୋଲି ଜେଲେନସ୍କି ପ୍ରଶ୍ନ କରିଛନ୍ତି। କିବ୍ର ବୁସା, ଖାରକିଭ୍, ମାରିୟୁପୋଲ୍ ଆଦି ସହରରେ ଯେଉଁଭଳି କୁଢ଼ କୁଢ଼ ଶବ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ବୁସା ସହରରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଶାନ୍ତି ପାଇଁ କୂଟନୈତିକ ପ୍ରୟାସ ଜରୁରୀ ବୋଲି ସେ କହିଛନ୍ତି ଏବଂ ବୁସା ଗଣହତ୍ୟାର ତଦନ୍ତ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା କରାଯିବାକୁ ଦାବି କରିଛନ୍ତି।
Comments are closed.