ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ

ଟ୍ରକ,ଜେସିବି ଜବତ

ପାଟଣାଗଡ : ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ପଞ୍ଚାୟତ ଚମ୍ପାସରସ୍ଥିତ ମାଙ୍ଗାନିଜ ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ଲରମ୍ଭା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରୀ ପାଇଁ ବ୍ୟବହୃତ ଏକ ଟ୍ରକ ଏବଂ ଜେସିବି ମେସିନକୁ ଜବତ କରିଥିବା ଜଣାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ରାଜଧନୱାର ଥାନା ବାନ୍ଦେଟାଣ୍ଡ ଗ୍ରାମର ବବଲୁ ଅନସାରୀ(୨୯), ଅଜମଦ୍‌ ଅନସାରୀ(୧୯), ଛତିଶଗଡ ରାଜ୍ୟ କୁମ୍ଭାରୀ ଅନ୍ତର୍ଗତ ରେସ ଅହମ୍ମଦ(୩୯), ରାଜକୁମାର ଯାଦବ(୨୯) ଏବଂ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବରମପୁରର ଲକ୍ଷ୍ମଣ ରେଡïି(୪୨) ବୋଲି ଜଣାଯାଇଛି ।

ପ୍ରକାଶ ଯେ, ଏହି ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସର ଗ୍ରାମରେ ଥିବା ମାଙ୍ଗାନିଜ ଖଣିକୁ ପ୍ରାୟ ୧୦ ବର୍ଷ ତଳୁ ଭିଜିଲାନ୍ସ ବିଭାଗ ସିଲ କରି ଦେଇଥିଲା । ସେହି ଦିନଠାରୁ ଉକ୍ତ ଅଞ୍ଚଳରୁ ମାଙ୍ଗାନିଜ ଉତ୍ତୋଳନ କରାଯାଉନଥିଲା । ତେବେ ଗତ କିଛି ଦିନ ତଳେ କିଛି ହିନ୍ଦୀ ଭାଷାଭାଷୀ ଲୋକ ଉକ୍ତ ଅଞ୍ଚଳରେ ବୁଲାବୁଲି କରୁଥିବା ସହ ଗଚ୍ଛିତ ମାଙ୍ଗାନିଜ ଉପରକୁ ଲୋଲୁପ ଦୃଷ୍ଟି ଦେଇଥିବା ଚମ୍ପାସର ଗ୍ରାମବାସୀ ଅନୁଭବ କରିଥିଲେ । ଗତକାଲି ସୋମବାର ରାତିରେ ଉକ୍ତ ଖଣି ଅଞ୍ଚଳରେ ଏକ ଜେସିବି ମେସିନ ସାହାଯ୍ୟରେ ମାଙ୍ଗାନିଜ ଉତ୍ତୋଳନ କରି ଏକ ଆଠଚକିଆ ଟ୍ରକରେ ବୋଝେଇ ପାଇଁ ଉଦ୍ୟମ କଲାବେଳେ ଗ୍ରାମବାସୀ ମିଳିତ ଭାବରେ ସେମାନଙ୍କୁ କାବୁ କରି ନେଇଥିଲେ । ଉକ୍ତ ମାଙ୍ଗାନିଜକୁ ନକଲି କାଗଜ ପ୍ରସ୍ତୁତ କରି ରାୟପୁର ଅଞ୍ଚଳକୁ ଚାଲାଣ କରାଯିବାକୁ ମସୁଧା ଚାଲିଥିବା ଗ୍ରାମବାସୀ ସୂଚନା ପାଇଥିଲେ ।

ସେ ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ଲରମ୍ଭା ଥାନାଧିକାରୀ ରାଜେନ୍ଦ୍ର ବେହେରା ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚି ଚୋରା ଚାଲାଣକାରୀଙ୍କୁ ଥାନାକୁ ଧରି ଆସିବା ସହ ପଚରାଉଚୁରା ଆରମ୍ଭ କରିଥିଲେ । ଉକ୍ତ ୫ ଜଣ ମାଙ୍ଗାନିଜ ଚୋରା ଚାଲାଣ ଉଦ୍ୟମ କରୁଥିବା ନିଶ୍ଚିତ ହେବା ପରେ ସେମାନଙ୍କ ବିରୁଦ୍ଧରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରିବା ସହ ବ୍ୟବହୃତ ଟ୍ରକ ନମ୍ବର ସିଜି-୦୪ଜେବି-୮୫୨୫ ଏବଂ ଜେସିବି ନମ୍ବର ଜେଏଚ୍‌୧୦ବିୱାଇ-୬୩୫୮କୁ ପୁଲିସ ଜବତ କରିଥିବା ଜଣାଯାଇଛି । ଚୋରାଚାଲାଣକାରୀଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ତେବେ ଉକ୍ତ ଚୋରୀ ର୍ୟାକେଟରେ ସ୍ଥାନୀୟ କିଛି ନେତା ଏବଂ ଉକ୍ତ ଅଞ୍ଚଳର କୁଜି ନେତା ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାବ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ବୋଲି ସଂପୃକ୍ତ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

Comments are closed.