କହ୍ନେୟାଙ୍କ ହତ୍ୟାର ପ୍ରତିବାଦରେ ଶହ ଶହ ଜନତା

ଉଦୟପୁର: ଜୁନ ୩୦: ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲଙ୍କୁ ହତ୍ୟା ଘଟଣାରେ ପ୍ରତିବାଦ କରିଛନ୍ତି ଶହ ଶହ ଜନତା । ଏଥିରେ ଉତ୍ତେଜନା ସୃଷ୍ଟି ହେବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା କଥା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଦଙ୍ଗା ମୁକାବିଲାକାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନତାଙ୍କୁ ନିୟନ୍ତ୍ରଣ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ, ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ପ୍ରତିବାଦକାରୀ କଡ଼ା ନିରାପତ୍ତା ମଧ୍ୟରେ ଗୌରିକ ପତାକା ଧରି ଦରଜୀ ହତ୍ୟାର ବିଚାର ଦାବି କରି ସ୍ଲୋଗାନ୍‌ ଦେଇ ପଦଯାତ୍ରା କରୁଥିଲେ । କି;ୁ, ମଙ୍ଗଳବାର ଦିନ ଘଟିଥିବା ଉକ୍ତ ଭୟାବହ ହତ୍ୟାକାଣ୍ଡ ନିକଟରେ ପ୍ରତିବାଦକାରୀମାନେ ପହଞ୍ଚିବା ପରେ ଉତ୍ତେଜନା ଚରମସୀମାରେ ପହଞ୍ଚିଥିଲା । ଫଳରେ ପୁଲିସ ଆନ୍ଦୋଳନରତ ଜନତାଙ୍କୁ ଘଉଡ଼ାଇ ଦେଇଥିଲା । ଘଟଣାସ୍ଥଳରୁ ପ୍ରତିବାଦକାରୀ ଜନତାଙ୍କ ସଂଖ୍ୟା କମି ଆସିବା ପରେ ଗଣମାଧ୍ୟମକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣକୁ ଆସିଯାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦରଜୀ କହ୍ନେୟାଲାଲ୍‌ଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ଯିବାକୁ ଥିବାରୁ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି । ତେବେ ହତ୍ୟାରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଦାୱତ-ଏ-ଇସ୍ଲାମି ସହିତ ଉକ୍ତ ଆତତାୟୀମାନଙ୍କର ଯୋଗାଯୋଗ ଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ୨୦୧୪ରେ କରାଚୀକୁ ଯାଇଥିଲା ବୋଲି ତଦନ୍ତକାରୀମାନେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ଦେଶର ଶୀର୍ଷସ୍ତରୀୟ ଆତଙ୍କବାଦ-ନିରୋଧୀ ସଂସ୍ଥାନ ନ୍ୟାସ୍ନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସିକୁ (ଏନ୍‌ଆଇଏ) ଉକ୍ତ ହତ୍ୟାକାଣ୍ଡ ଘଟଣାର ତଦନ୍ତ ହସ୍ତାନ୍ତର କରିଛି ।

Comments are closed.