ଭୁବନେଶ୍ୱର: ଦୁଇ ବର୍ଷ କରୋନା ମହାମାରୀରେ ସମସ୍ତ ପ୍ରକାର ପାର୍ବଣରେ କଟକଣା ଲାଗିଥିଲା । କିନ୍ତୁ ଚଳିତ ବର୍ଷରେ କଟକଣା ଉଠିବା ପରେ ପ୍ରସ୍ତୁତ ହେଉଛନ୍ତି ଭକ୍ତଗଣ । ଏଥର ଗଣେଶଙ୍କ ପାର୍ବଣରେ ଧୁମ୍ଧାମ୍ ଓ ଜାକଚମଚରେ କରାଯିବ ପୂଜା । ଏଥିପାଇଁ ବିଶାଳ ଓ ଆକର୍ଷୀୟ ମୂର୍ତ୍ତି ଏବଂ ତୋରଣ ତିଆରି କରିବାରେ ଲାଗିପଡ଼ିଛନ୍ତି କାରିଗର । ସେହିପରି ଏଥର ପାର୍ବଣରେ ମେଲୋଡି ଓ ଅର୍କେଷ୍ଟ୍ରା ଦଳ ମଧ୍ୟ ଦମ୍ଦାର୍ ପରିବେଷଣ ପାଇଁ ଅଭ୍ୟାସ ଆରମ୍ଭ କଲେଣି । ପୋଷାକ ଓ ଗହଣା ବ୍ୟବସାୟୀମାନେ ଆକର୍ଷଣୀୟ ଅଫର୍ ଧମାକାରେ ଲାଗିପଡ଼ିଲେଣି । ଦୁଇ ବର୍ଷର ବିରତି ପରେ ଏଥର ରାଜ୍ୟରେ ଗଣେଶ ଚତୁର୍ଥୀ ଜୋର୍ଦାର ହେବ ।
ନୂଆସାହିରେ ୫୦ ଫୁଟର ଗଣେଶ ମୂର୍ତ୍ତି-
ବିଏମ୍ସି ୩୯ ନମ୍ବର ୱାର୍ଡ ନୂଆସାହିରେ ପୂଜାରେ ଏଥର ୫୦ ଫୁଟ ଉଚ୍ଚତା ଥିବା ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି । ଏହି ମୂର୍ତ୍ତି ପରିବେଶ ଅନୁକୂଳ ଓ ପୂଜା ପରେ ସେହି ସ୍ଥାନରେ ହିଁ ବିସର୍ଜନ କରାଯିବ । ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ହେଉଥିବା ଏହି ମୂର୍ତ୍ତି ପ୍ରସ୍ତୁତି ପାଇଁ ଉଭୟ ଓଡ଼ିଆ ଓ ବଙ୍ଗୀୟ ଶିଳ୍ପୀମାନେ ଲାଗିପଡ଼ିଉନ୍ତି । ମୁଖ୍ୟ ଶିଳ୍ପୀ ଅରୁଣ କୁମାର ମହାପାତ୍ରଙ୍କ ସହିତ ଅନ୍ୟ ୯ଜଣ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ସେହିପରି ମୂର୍ତ୍ତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ୟାରିସ୍ର ‘ଏଫିଲ୍ ଟାୱରା’ ଡିଜାଇନ୍ରେ ତୋରଣ ପ୍ରସ୍ତୁତି ମଧ୍ୟ ଚାଲିଛି । ମୂର୍ତ୍ତିି ନିର୍ମାଣରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆୟୋଜକମାନଙ୍କ ତରଫରୁ ସୂଚନା ମିଳିଛି । ପୂଜାର କାର୍ଯ୍ୟକ୍ରମ ୧୧ ଦିନ ଯାଏଁ ଚାଲିବ । ଦୈନିକ ପ୍ରାୟ ୫୦ କେଜିର ଲଡ଼ୁ ପ୍ରସ୍ତୁତ କରାଯିବ ଓ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ।
ସହିଦ୍ ନଗରରେ ଚାଣକ୍ୟ ଗଣେଶ-
ଇତିହାସରେ ଚାଣକ୍ୟଙ୍କୁ ଚତୁର ଓ ବୁଦ୍ଧିମାନ ବୋଲି ଦର୍ଶାଯାଇଛି । ସେହିପରି ହିନ୍ଦୁ ଧର୍ମରେ ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧିର ଦେବତା । ଏଣୁ ଚାଣକ୍ୟଙ୍କ ରୂପ ସହ ମିଶାଇ ଏଥର ସହିଦ୍ ନଗରରେ ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତି କରାଯାଉଛି । ଜନପଥ ଗେଟ୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତ ଗଣେଶ ମୂର୍ତ୍ତିଙ୍କ ମସ୍ତକ ଲଣ୍ଡିତ ଓ ମଥାରେ ଚନ୍ଦନ ତିଲକ ରହିବ । ପାଞ୍ଚ ଫୁଟ ଉଚ୍ଚତାରେ ଚାଣକ୍ୟ ଗଣେଶ ମୂର୍ତ୍ତି ରହିବ । ଆସୋସିଏସନ୍ ପକ୍ଷରୁ ଏହି ପୂଜା ୫ ଦିନ ଯାଏଁ ଚାଲିବ । ପ୍ରତ୍ୟେକ ଦିନ ଏକ ହଜାର ଭକ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ । ଏଥିପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ କରାଯାଇଥିବା ସୂଚନା ମିଳିଛି ।
ଗଙ୍ଗନଗରରେ ୫୦ କେଜିର ସାଗୁ ଗଣେଶ –
ଜୀବନ ଜ୍ୟୋତି ସେବା ସଂଘ ପକ୍ଷରୁ ଗଙ୍ଗନଗରଠାରେ ନିଆାରା ଗଣେଶ ମୂର୍ତ୍ତି ନିର୍ମାଣ ହେଉଛି । କୌଣସି ରାସାୟନିକ ରଙ୍ଗ, ଧାତୁ ବା ପ୍ଲାଷ୍ଟିକ୍ର ବ୍ୟବହାର ନକରାଯାଇ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରାଯାଉଛି । ମୂର୍ତ୍ତିଟି ୫୦ କେଜି ଧଳା ଫର୍ ଫର୍ ସାଗୁ ଦାନାରେ ପ୍ରସ୍ତୁତ କରାଯାଉଛି । ୧୧ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିର ପୂଜାର୍ଚ୍ଚନା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୩ ଲକ୍ଷ ଟଙ୍କାର ବ୍ୟୟ କରାଯାଇଥିବା ସୂଚନା ରହିଛି ।
Comments are closed.