ତାତିରୁ ମିଳିବ ତ୍ରାହି: ୫ରେ ପ୍ରବଳ ବର୍ଷା, ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବର୍ଷୁଥିବା ତାତିରୁ ଖୁବ୍‌ ଶିଘ୍ରୀ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୫ ତାରିଖରେ ବର୍ଷା ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଏହାର ପରିମାଣ ବଢ଼ି ପ୍ରବଳ ବର୍ଷିବ । ଏନେଇ ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ।

ପାଣିପାଗ ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି । ମୌସୁମୀଜନିତ ନିମ୍ନଚାପରେଖା ହିମାଳୟ ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି ।

ସେହିପରି ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ଏବଂ ଆସନ୍ତା ୯ ଓ ୧୫ ତାରିଖ ମଧ୍ୟରେ ଦୁଇଟି ଲଘୁଚାପ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ସହିତ ଖରାଟିଆ ପାଗ ରହିବ । କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ ।

Comments are closed.